ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା: ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର। ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ ଜଣା ପଡିଥିଲା। ହ୍ରିଙ୍କାର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗ୍ରାଜୁଏସନ ଓ ପିଜି ପାଠ ମଧ୍ୟ ମୁଖସ୍ଥ କରି ସାରିଥିବା ସୂଚନା ରହିଛି। ବୟସ ମାତ୍ର ୧୩ ବର୍ଷ ହୋଇଥିଲେ ମଧ୍ୟ ସେ ନାସା ଯିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି। ଯାହାକୁ ନେଇ ମା’ବାପା ଗର୍ବିତ ଅନୁଭବ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭବାନୀପାଟଣା ସହରର ତରୁଣ ମିଶ୍ର ଓ କାମିନୀ ମିଶ୍ରଙ୍କ ୧୩ ବର୍ଷ ପୁଅ ହ୍ରିଙ୍କାର। ରସାୟନ ବିଜ୍ଞାନରେ ରୁଚି ରଖିଥିବା ହ୍ରିଙ୍କାର ଗଣିତରେ ଅନେକ ନୂଆଁ ସୂତ୍ର ଓ ତଥ୍ୟ ବାହାର କରିଛନ୍ତି। ଏହା ସହ ସେହି ସୂତ୍ର କିଭଳି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ସେ ଉପରେ ନିଜର ଉଦ୍ୟମ ଜାରି ରଖିଥିବା ବେଳେ ନାସାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହ୍ରିଙ୍କାର। ଏବେ ନାସା ପକ୍ଷରୁ ଚନ୍ଦ୍ର ପୃଷ୍ଠକୁ ଏକ ରକେଟ ଲାଞ୍ଚ ହେବାକୁ ଯାଉଛି । ଏହାର ନାଁ ରହିଛି ଆର୍ଟିମିସ। ସେହି ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସେଥିରେ କାମ କରିବା ପାଇଁ ହ୍ରିଙ୍କାରଙ୍କୁ ସୁଯୋଗ ମିଳିଛି। ନାସା ପକ୍ଷରୁ ପୂର୍ବରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନେକ ବୈଠକ କରାଯାଉଥିବା ବେଳେ ସେଥିରେ ହ୍ରିଙ୍କାର ସାମିଲ ହୋଇଛନ୍ତି। କୋଭିଡ୍‌ ସମୟରେ ସବୁ ବନ୍ଦ ରହିଥିବା ବେଳେ ହ୍ରିଙ୍କାର ଘରେ ନିଜ ବାପା ତରୁଣଙ୍କଠାରୁ ରସାୟନ ବିଜ୍ଞାନର ଅନେକ ଶିକ୍ଷା ଲାଭ କରିଥିଲେ। ପରେ ଏଥିରେ ନିଜର ରୁଚି ରଖି ଆଗକୁ ବଢିବା ସହ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ, ଯାହା ନାସା ତାଙ୍କୁ ଏକ ପୁରସ୍କାର ମଧ୍ୟ ଦେଇଥିଲା। ପରେ ନାସା ପାଇଁ କାମ କରିବା ଲାଗି ଅନେକ ପାଠ୍ୟ ସାମଗ୍ରୀ ମଧ୍ୟ ନାସା ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ସେ ନାସାରେ ଯୋଗଦାନ କରିବେ ବୋଲି ହ୍ରିଙ୍କାରଙ୍କ ବାପା ସୂଚନା ଦେଇଛନ୍ତି। ସେହିପରି ହ୍ରିଙ୍କାର କହିଛନ୍ତି, ନାସା ପକ୍ଷରୁ ମତେ ଏକ ଟାସ୍କ ଦିଆଯାଇଥିଲା। ସେଥିରେ ମୁଁ ସଫଳ ହୋଇଥିଲି। ଫଳରେ ନାସା ପକ୍ଷରୁ ମୋତେ ଏକ ସାର୍ଟିଫିକେଟ ଦିଆଗଲା। ଏହାକୁ ନେଇ ମୁଁ ଉତ୍ସାହିତ ହୋଇଥିଲି। ପରେ ନାସା ପକ୍ଷରୁ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଅଫର ଦିଆଯାଇଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛି। ତେବେ ନାସା କହିଛି, ମତେ ୧୬ ବର୍ଷ ହେବା ପରେ ଯାଇ ମୁଁ ଜଣେ ୱାର୍କର ଭାବେ ନାସା ଯାଇପାରିବି। ୧୬ ବର୍ଷ ହେବା ପରେ ମୁଁ ସାଇଣ୍ଟିଷ୍ଟ ହୋଇପାରିବି। ଏବେ ମୁଁ ଜଣେ ଗେଷ୍ଟ ଭାବେ ଯାଇପାରିବି। ଟାଇମ ଉପରେ ଥିଓରି ଡେଭେଲପ କରିବା ଓ ଟାଇମ ଉପରେ ଏଲିମେଣ୍ଟ ଖୋଜିବା ନେଇ ମୁଁ ଲକ୍ଷ୍ୟ ରଖିଛି ।

Related Articles

Back to top button