ସିଲ୍ ହେଲା କିଶୋର ଭାଇନା ମଟନ ଦୋକାନ: ବାସୀ କଙ୍କଡ଼ା ଜବତ, ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ

ଭୁବନେଶ୍ୱର: ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା। ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌। ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ। ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଛି ବିଭାଗ।

ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ। ଡ୍ରେନ୍‌ ପାଖରେ ଦୋକାନ। ଏହାରି ଭିତରେ ଦୋକାନ ଚାଲୁଥିଲା। ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ। ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉଥିଲା। ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଛି । ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଛି । ଫୁଡ୍‌ ଲାଇସେନ୍ସକୁ ବାତିଲ କରିଛି ବିଭାଗ । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ସେହିପରି ନୂଆପଲ୍ଲୀରେ ଥିବା ୩ କ୍ୟୁ ରେଷ୍ଟୁରାଣ୍ଟ, ଗଜପତି ନଗରରେ ସନ୍ଧ୍ୟାରାଣୀ ହୋଟେଲ ଓ ରେଷ୍ଟୁରାଣ୍ଟ ଏବଂ କିଛି ଫାଷ୍ଟଫୁଡ ଦୋକାନରେ ମଧ୍ୟ ଖାଦ୍ୟ ସୁରକ୍ଷା ବିଭାଗ ଚଢଉ କରିଛି। ସବୁଠି ଖାଦ୍ୟର ମାନ ଯାଞ୍ଚ କରାଯିବା ସହ ନମୁନା ସଂଗ୍ରହ ହୋଇଛି । ଆଗକୁ ପାର୍ବଣ ଥିବାରୁ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ନିୟମିତ ଚଢଉ କରୁଛି।

Related Articles

Back to top button