ଅମାନବୀୟ କାଣ୍ଡ: ଫସଲ ଖାଇଦେବାରୁ ଷଣ୍ଢକୁ ଖାଇବାକୁ ନ ଦେଇ ୨୦ ଦିନ ବାନ୍ଧି ରଖିଲେ ଜମି ମାଲିକ

ଉମରକୋଟ : ଜମିରେ ଧାନ ଫସଲ ଦେଖି ଭୋକିଲା ଷଣ୍ଢଟି ଖାଇ ଦେଇଥିଲା। ଦିନେ ନୁହେଁ ଏକାଧିକ ଥର ଜମିରେ ପଶି ଫସଲ ଖାଇଥିଲା। ହେଲେ ଏହାର ପରିଣାମ ଯେ ଭୟଙ୍କର ହେବ ତାହା ସେ ଜାଣି ନ ଥିଲା। ଚାରିଗୋଡ଼ିଆ ପ୍ରାଣୀଟିକୁ ଦଣ୍ଡଦେବାକୁ ଯାଇ ଜମି ମାଲିକ ନିଷ୍ଠୁରତାର ସବୁ ସୀମା ପାର କରିଛନ୍ତି। ଖାଇବାକୁ ଏବଂ ପିଇବାକୁ ନ ଦେଇ ଷଣ୍ଢଟିକୁ ୨୦ ଦିନ ବାନ୍ଧି ରଖିଛନ୍ତି। ନବରଙ୍ଗପୁର ଜିଲା ଉମରକୋଟ ସହରରୁ ଏଭଳି ଅମାନବୀୟ ଚିତ୍ର ସାମ୍ନାକୁ ଆସିଛି।

ଗ୍ରାମ(୫୨ ନମ୍ବର) ସ୍ଥିତ ପରିମଳ ମିସ୍ତ୍ରି ଧାନ ଚାଷ କରିଥିବାବେଳେ ଉକ୍ତ ଷଣ୍ଢଟି ବାରମ୍ବାର ତାଙ୍କ କ୍ଷେତରୁ ଫସଲ ଖାଉଥିବା ସେ ଜାଣିବାକୁ ପାଇଥିଲେ। ଏଥିରେ ରାଗିଯାଇ ପରିମଳ ଷଣ୍ଢର ଖାଦ୍ୟ ଓ ପାନୀୟ ବନ୍ଦ କରି ନିକଟସ୍ଥ ସରକାରୀ ଫାର୍ମରେ ୨୦ ଦିନ ହେଲା ବାନ୍ଧି ରଖିଥିଲେ। ଖବର ପାଇ ଉମରକୋଟ ବଜରଙ୍ଗ ଦଳର କର୍ମୀମାନେ ପହଞ୍ଚି ଷଣ୍ଢକୁ ଉଦ୍ଧାର କରିଛନ୍ତି। ଦୀର୍ଘଦିନ ଧରି ଖାଦ୍ୟ ଏବଂ ପାନୀୟ ନ ପାଇ ଷଣ୍ଢର ଅବସ୍ଥା ଗୁରୁତର ରହିଛି। ଷଣ୍ଢ ମୁକୁଳିବା ପରେ ସ୍ଥାନୀୟ ଲୋକେ ତାକୁ ଘାସ ଏବଂ ପାଳ ଦେବାରୁ ଅତି ଆତୁର ହୋଇ ଖାଇବା ଦେଖିବାକୁ ମିଳିଥିଲା। ପରେ ବଜରଙ୍ଗ ଦଳର ସଦସ୍ୟମାନେ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କୁ ଡାକି ତା’ର ଚିକିତ୍ସା କରାଇଛନ୍ତି। ଅନ୍ୟପକ୍ଷରେ ଘଟଣା ବିଷୟରେ ପରିମଳଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ୨୦ ଦିନ ନୁହେଁ ମାତ୍ର ୫ ରୁ ୬ ଦିନ ବାନ୍ଧି ରଖିଥଲି ଏବଂ ଖାଇବାକୁ ଦେଇ ରଖିଥିଲି ବୋଲି କହିଛନ୍ତି। ଆଗକୁ ଏପରି ଭୁଲ ହେବନାହିଁ ବୋଲି ମଧ୍ୟ ସେ କହିଛନ୍ତି।

Related Articles

Back to top button