୪୩ ତମ ଶାରଳା ପୁରସ୍କାର ପାଇବେ ଗାଳ୍ପିକ ଡକ୍ଟର ଗୌରହରି ଦାସ

ଭୁବନେଶ୍ୱର: ଚଳିତ ବର୍ଷ ସୁଖ୍ୟାତ ଗାଳ୍ପିକ ଡକ୍ଟର ଗୌରହରି ଦାସ ଶାରଳା ପୁରସ୍କାର ପାଇବେ। ତାଙ୍କର ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ବିଚାରକମାନେ ତାଙ୍କୁ ମନୋନୀତ କରିଛନ୍ତି। ୨୦୧୮ ମସିହାରେ ପ୍ରକାଶ ପାଇଥିବା ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ପୁରସ୍କାରରେ ସମ୍ମାନୀତ କରାଯିବ। ଆସନ୍ତା  ଅକ୍ଟୋବର ୨୬ରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଡ. ଦାସଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ନଗଦ ପାଞ୍ଚଲକ୍ଷ ଟଙ୍କା ଅର୍ଥରାଶି  ଦିଆଯିବ। ସୂଚନାଥାଉକି, ପ୍ରତିବର୍ଷ ବିଶିଷ୍ଟ ସାହିତ୍ୟିକମାନଙ୍କୁ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ।

ଏହା ସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଦିଆଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୨ ମସିହା ପାଇଁ ଘୋଷିତ ହୋଇଛି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ଗୁରୁ ତଥା ସାଧକ ଘନଶ୍ୟାମ ପଣ୍ଡାଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପାଇବେ।ପୁରସ୍କାର ବାବଦରେ ଉଭୟଙ୍କୁ ନଗଦ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର ଓ ଫଳକ  ଦେଇ ସମ୍ମାନୀତ କରାଯିବ ।

ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କ ସ୍ତ୍ରୀ କଳାବିଦୁଷୀ ଇଲା ପଣ୍ଡାଙ୍କ କଳାତ୍ମକ ଚେତନାର ଫଳଶ୍ରୁତିରେ   ଏହି ଶାରଳା ପୁରସ୍କାର ଉତ୍ସବ ପାଳନ  ହୋଇଆସୁଛି। ଏହି ଶାରଳା ପୁରସ୍କାର ୧୯୮୦ ମସିହାରୁ ଦିଆଯାଇ ଆସୁଥିବା ବେଳେ ୪୩ ବର୍ଷ ଧରି ଏହାର ଯାତ୍ରା ଜାରି ରଖିଛି। ପରେ ସମୟରେ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ଏହି ସମ୍ମାନ ପ୍ରଦାନ ପରମ୍ପରାରେ ସାମିଲ ହୋଇଛି। ‘’ଏକଲବ୍ୟ ପୁରସ୍କାର’’ଏହାର ଅନ୍ୟଏକ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଯାହାକି କ୍ରୀଡ଼ା ସୁନାମ ପାଇଥିବା ଓଡ଼ିଶାର ଯୁବ ଖେଳାଳିମାନଙ୍କୁ ସେମାନଙ୍କ ସଫଳତା ଏବଂ ଉତ୍କର୍ଷତା ପାଇଁ  ଦିଆଯାଉଛି।

Related Articles

Back to top button