ରାଜ୍ୟରେ ଅସହ୍ୟ ଗରମକୁ ନଜରରେ ରଖି ଆଜିଠାରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର

ଆଜିଠାରୁ ରାଜ୍ୟ ଗ୍ରୀଷ୍ମ ଅବକାଶ ଆରମ୍ଭ । ରାଜ୍ୟରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଅସହ୍ୟ ଗୁଳୁଗୁଳିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଏବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀକୁ ପାର କରିଛି । ତେଣୁ ସାଧାରଣତଃ ମେ’ ମାସରେ ହେଉଥିବା ଖରା ଛୁଟିକୁ ଏଥର ଆଗୁଆ ଘୋଷଣା କରାଯାଇଛି। ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଆରାମ ପ୍ରଦାନ କରିଛନ୍ତି ସରକାର । ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ତଥା ଶୈକ୍ଷିକ କାର‌୍ୟ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ। ବର୍ତ୍ତମାନ ସ୍କୁଲରେ ନାମଲେଖା ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପର‌୍ୟ୍ୟନ୍ତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର‌୍ୟ୍ୟନ୍ତ ସ୍କୁଲ ଅଫିସ ଖୋଲା ରହିବ। ସେହିପରି ଗ୍ରୀଷ୍ମଛୁଟି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ପୂରା ଗ୍ରୀଷ୍ମଛୁଟିରେ ଶିକ୍ଷକ, ଜୁନିୟର ଆସିଷ୍ଟାଣ୍ଟ ଏବଂ ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ। ସ୍କୁଲରେ ରୋଷ୍ଟର ଡ୍ୟୁଟି ପାଇଁ ଏକ ରେଜିଷ୍ଟର କରାଯିବ। ସ୍କୁଲ ଖୋଲିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀମାନେ ସ୍କୁଲର ପରିମଳ ଏବଂ ସୁରକ୍ଷା ଦିଗ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button