ରାଜ୍ୟ ସରକାରଙ୍କ ବିଫଳତା ପାଇଁ ଓଡ଼ିଶା ପଛୁଆ : ଅମିତ ଶାହା

ଜୟ ଜଗନ୍ନାଥ ନାରା ଦେଇ ଗୃହମନ୍ତ୍ରୀ ଅମିତ୍ ଶାହା, ଓଡିଶାର ସୋନପୁରରୁ ପ୍ରଚାର ଆରମ୍ଭ କରିବା ସହ ରଣହୁଙ୍କାର ଦେଇଛନ୍ତି । ଉଭୟ ଓଡିଶା ଓ କେନ୍ଦ୍ରରେ ବିଜେପି ସରକାର ପାଇଁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । ଏଥିସହ ୨୦୧୯ ପରେ ପ୍ରଥମ ଥର ରାଜ୍ୟ ସରକାର ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ଯୋଗୁଁ ଓଡିଶା ପଛୁଆ ରାଜ୍ୟ ହୋଇଥିବା ଅଭିଯୋଗ କରିଛନ୍ତି । ସେହିପରି ଓଡିଆ ଭାଷା ଓ ସଂସ୍କୃତି କଥା ଉଠାଇ କଟାକ୍ଷ କରିଛନ୍ତି । ଓଡିଶାରେ ସରକାର ଗଢ଼ିବାକୁ ପାଂଚ ବର୍ଷ ଦେବାକୁ ନିବେଦନ କରିଛନ୍ତି ।

କଂଗ୍ରେସକୁ ମଧ୍ୟ କଡା ଭାଷାରେ ସମାଲୋଚନା କରିଛନ୍ତି । ଉପା ସରକାର ଅମଳରେ ଓଡିଶାକୁ କେମିତି ଅଣଦେଖା କରାଯାଇଥିଲା ତାର ହିସାବ ରଖିଛନ୍ତି । ମୋଦୀ ସରକାର ଓଡିଶାକୁ ୧୦ ବର୍ଷ ଭିତରେ କେମିତି ଅଧିକ ଅନୁଦାନ ଦେଇଛି ତାହା କହିଛନ୍ତି । ଏଥିସହ ଦେଶରୁ ଆତଙ୍କୀଙ୍କୁ ନିପାତ କରିବା ସହ ଭାରତୀୟ ସେନା ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡାକୁ ଧ୍ୱଂସ କରିଛି ତାହା ବଖାଣିଛନ୍ତି ।

ଅମିତ୍ ଶାହାଙ୍କ ରଣହୁଙ୍କାର ଓଡିଶା ବିଜେପି ନେତା ଓ କର୍ମୀଙ୍କ ଭିତରେ ଜୋଶ୍ ଭରି ଦେଇଛି । ଅନ୍ୟପଟେ ଶାହାଙ୍କ ଟାର୍ଗେଟ ପରେ ପାଲଟା ଜବାବ ମାଗିଛନ୍ତି ବିରୋଧୀ ।ନିର୍ବାଚନ ସଭାରୁ ଶାହାଙ୍କ ଆଭିମୁଖ୍ୟ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆଗାମି ଦିନରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି ।

Related Articles

Back to top button