ମଟର ଗାଡିରୁ ଜରିମାନା ଆଦାୟ କରିପାରିବନି ଓଡିଶା ପୋଲିସ, କେବଳ ରାଜପଥର ଦୁର୍ଘଟଣା ପ୍ରବଣ ସ୍ଥାନରେ ଅନୁମତି

ଭୁବନେଶ୍ୱର: ଏବେ ରାଜ୍ୟ ପୋଲିସ ମଟର ଗାଡିମାନଙ୍କରୁ ଜରିମାନା ଆଦାୟ କରିପାରିବେ ନାହିଁ । ଗତ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୋଲିସକୁ ଆଗରୁ ଏହି କ୍ଷମତା ଦିଆଯାଇଥିଲା, ତାହା ପ୍ରତ୍ୟାହାର କରି ନିଆଯାଇଛି । ପୋଲିସ ଡିଜି ଏବଂ ପରିବହନ କମିଶନରଙ୍କୁ ଏହି ବିଷୟରେ ଜଣାଇ ଦିଆଯାଇଛି ।

କେବଳ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ସ୍ଥାନୀୟ ପୁଲିସ ଏବଂ ସହରାଞ୍ଚଳ ପୋଲିସ ଜରିମାନା ଆଦାୟ କରିପାରିବେ । ଏହି ବୈଠକରେ ବସ୍‌ ମାଲିକ ସଂଘ ପକ୍ଷରୁ ପୋଲିସ ବିଭିନ୍ନ ସ୍ଥାନରେ ଛିଡା ହୋଇ ଜରିମାନା ଆଦାୟ କରୁଥିବା ଅଭିଯୋଗ କରାଯାଇଥିଲା । ଏହା ସହ କାଗଜପତ୍ର ଯାଞ୍ଚ ଆଳରେ ପୋଲିସ କର୍ମଚାରୀ ବାରମ୍ବାର ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ବସ୍‌ କର୍ମଚାରୀ ଏବଂ ମୋଟର ଗାଡି କର୍ମଚାରୀମାନଙ୍କୁ ପୋଲିସ ଯାଞ୍ଚ ଆଳରେ ହଇରାଣ ଏବଂ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଉଦ୍ଦେଶ୍ୟମୂଳକ ଭାବେ ପୋଲିସ ଚାଲାଣ ଏବଂ ଜରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି ।

୨୦୧୯ ମସିହାରେ ପରିବହନ ବିଭାଗ ପକ୍ଷରୁ ସ୍ଥାନୀୟ ପୋଲିସକୁ ଗାଡିମଟର କାଗଜପତ୍ର ଯାଞ୍ଚ ସହ ଜରିମାନା ଆଦାୟ କ୍ଷମତା ଦିଆଯାଇଥିଲା । ଯାହାକୁ ପ୍ରତ୍ୟାହାର କରାଯାଇଛି । ଏହାର ଦୂରୁପୋଯୋଗ ହେଉଥିବା ବସ୍‌ ମାଲିକ ସଂଘ ଅଭିଯୋଗ କରିବା ପରେ ଏହାକୁ ପ୍ରତ୍ୟାହର କରାଯାଇଛି ।
ଦିନରେ ସ୍ଲିପର କୋଚ୍‌ ବସ୍‌ ଚଳାଚଳ, ୧୫ ବର୍ଷରୁ ଅଧିକ ହୋଇଥିବା ବସ୍‌କୁ ଆହୁରି ୫ ବର୍ଷ ପାଇଁ ଅସ୍ଥାୟୀ ଚଳାଚଳ ମଞ୍ଜୁରୀ, ରାଜପଥରେ ବସ୍‌ ବେ ନିର୍ମାଣ, ବସ୍‌ ଷ୍ଟାଣ୍ଡରେ ପାର୍କିଂ ଫି କୋହଳ ଦାବି ପୂରଣ କରାଯାଇଥିବା ସୂଚନା ମିଳିଛି ।

Related Articles

Back to top button