ବସ୍ ଟ୍ରକ୍ ମୁହାଁ ମୁହିଁ ଧକ୍କା, ୩ ଗୁରୁତର

ବୌଦ୍ଧ:  ବୌଦ୍ଧ ଜିଲ୍ଲା ରାଧା ନଗର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯାତ୍ରୀବାହୀ ବସ୍ ସହ ଟ୍ରକ୍ ମୁହାଁ ମୁହିଁ ଧକ୍କା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ସମେତ ୩ ଗୁରୁତର । ଆହତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ। ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ ।

ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଓଡି୦୨ଏୟୁ୨୫୯୭ ଦିଲଖୁସ୍ ନାମକ ଯାତ୍ରୀବାହୀ ବସ୍ ବଲାଙ୍ଗୀରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିଲା  । ରାତି ପ୍ରାୟ ୩ଟା ସମୟରେ ରାଧାନଗର ଛକ ନିକଟରେ ରାସ୍ତାରେ ବସଟି ତାର ଭାରସାମ୍ୟ ହରାଇ ଏକ ମାଲ୍ ବୋଝେଇ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ବସର କଣ୍ଡକ୍ଟର ଏବଂ ଜଣେ ଯାତ୍ରୀ ଆହତ ହୋଇଥିଲେ।

ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିବା ସହିତ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ଏବଂ ସେମାନଙ୍କ ଚିକିତ୍ସା ଜାରି ରହିଛି। ତେବେ ବସରେ ଥିବା ପ୍ରାୟ ୨୦ ରୁ ୨୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କୁ ଅନ୍ୟ ଏକ ବସ୍ ଯୋଗେ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଦୁର୍ଘଟଣା ଯୋଗୁଁ ପ୍ରାୟ ୩ ଘଣ୍ଟା ଧରି ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା । ବସଟିକୁ ରାସ୍ତା ରୁ ଉଦ୍ଧାର କଲା ପରେ ଯାତାୟାତ ସ୍ଵାଭାବିକ ହୋଇଛି ।

Related Articles

Back to top button