ଓଟିଇଟି ବୈଧତା ବୃଦ୍ଧି: ଆଉ ପୁନର୍ବାର ଓଟିଇଟି ପରୀକ୍ଷା ଦେବାକୁ ପଡ଼ିବ ନାହିଁ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷକ ଓ ଶିକ୍ଷକତାକୁ ନେଇ କ୍ୟାରିୟର କରିବାକୁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ଥରେ ଓଟିଇଟି ପାସ କଲେ ତାହା ୭ ବର୍ଷ ପର୍ଯ୍ୟନ୍ତ ବୈଧ ରହୁଥିଲା । ମାତ୍ର ନୂଆ ନିୟମ ଅନୁଯାୟୀ, ଥରେ ଓଟିଇଟି ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଉ ପୁନର୍ବାର ଏହି ପରୀକ୍ଷା ଦେବାକୁ ପଡ଼ିବ ନାହିଁ । ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ତରଫରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ତେବେ ରାଜ୍ୟର ସମସ୍ତ ଶିକ୍ଷକ ଓ ଶିକ୍ଷକ ଆଶାୟୀଙ୍କ ପାଇଁ ଏହା ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିକର ଖବର । ପୂର୍ବରୁ ଯେଉଁ ପ୍ରାର୍ଥୀଙ୍କର ୭ ବର୍ଷ ସମୟ ଅତିକ୍ରାନ୍ତ ହୋଇଯାଉଥିଲା ସେମାନେ ପୁନର୍ବାର ଓଟିଇଟି ପାସ କରିବା କ୍ଷେତ୍ରରେ ନାନା ସମସ୍ୟାର ସାମ୍ନା କରୁଥିଲେ । ମାତ୍ର ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ବହୁ ଚାକିରି ଆଶାୟୀ ବେଶ୍ ଉପକୃତ ହୋଇ ପାରିବେ ।

ସୂଚନାଯୋଗ୍ୟ ଯେ, ଶିକ୍ଷକତା ପାଇଁ ଓଟିଇଟି ପାସ କରିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ପୂର୍ବରୁ ନିୟମ ପ୍ରଣୟନ କରିଥିଲେ । ତେଣୁ ବିନା ଓଟିଇଟି ପାସ କରି ଯେଉଁ ଶିକ୍ଷକମାନେ ବିଭିନ୍ନ ସରକାରୀ ସ୍କୁଲମାନଙ୍କରେ ନିଯୁକ୍ତି ପାଇଥିଲେ ସେମାନେ ମଧ୍ୟ ଏହି ପରୀକ୍ଷାରେ ପାସ୍ କରିବା ଜରୁରୀ ବୋଲି କୁହାଯାଇଥିଲା । ଅନ୍ୟପକ୍ଷରେ ବିନା ଓଟିଇଟି ପାସ କରି କିଛି ଘରୋଇ ସ୍କୁଲରେ ବିଇଡି, ସିଟି ଯୋଗ୍ୟତା ନଥିବା ଶିକ୍ଷକଙ୍କୁ ପଢ଼ାଇବାକୁ ସୁଯୋଗ ଦିଆଯାଉ ଥିବାରୁ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇଥିଲା । ତେଣୁ ଏଭଳି ସ୍କୁଲରେ ଶିକ୍ଷକ ନିଯୁକ୍ତି ସମୟରେ ଓଟିଇଟିକୁ ଗୁରୁତ୍ୱ ଦେବାକୁ କୁହାଯାଇଥିଲା ।

Related Articles

Back to top button