ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ : ଚଣ୍ଡିଖୋଲରେ ୨୦ ହଜାର କୋଟି ଟଙ୍କା ପ୍ରକଳ୍ପର କଲେ ଘୋଷଣା

ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଣ୍ଡିଖୋଲ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପର ଘୋଷଣା କରିବା ପରେ ମୋଦୀ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ‘ମୋଦୀ ଗ୍ୟାରେଣ୍ଟି ସମାବେଶ’ କାର୍ଯ୍ୟକ୍ରମରେ ଜୟ ଜଗନ୍ନାଥ, ଜୟ ମା ବିରଜା କହି ଅଭିଭାଷଣ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ କଂଗ୍ରେସକୁ କଟାକ୍ଷ କରିବା ସହ ମୋଦୀ ସରକାର ଗରିବଙ୍କ ସହ ରହିଛି ଏବଂ ଗରିବଙ୍କ ଗ୍ୟାରେଣ୍ଟି ନେଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଉଦବୋଧନ ଦେଇ ମୋଦୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡିଶାବାସୀଙ୍କ ଭଲପାଇବା ‘ଅବକି ବାର୍ ଚାରଶୋ ପାର୍’ ସଙ୍କଳ୍ପ ପୂରଣ କରିବ ବୋଲି ସେ କହିଛନ୍ତି । ଦେଶରେ ପୁଣି ମଜଭୁତ ସରକାର ଆସିବା ଆବଶ୍ୟକ ଏବଂ କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନ ପରିବର୍ତ୍ତନ ହେବା ଦରକାର ବୋଲି ମୋଦୀ କହିଛନ୍ତି । ଗତ ୧୦ ବର୍ଷରେ ସରକାର ୨ ଲକ୍ଷ କୋଟିରୁ ଅଧିକ ନିବେଶ କରିଛନ୍ତି । ଓଡ଼ିଶା ବିକଶିତ ଭାରତର ଗେଟ୍ ଓ୍ବେ ହେଉ ବୋଲି ମୋଦୀ ଭାଷଣରେ କହିଛନ୍ତି ।

ମୋଦୀ ଗ୍ୟାରେଣ୍ଟି ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି । ପୂର୍ବରୁ ଦଳ କେବଳ ନିଜ ସିନ୍ଦୂକ ଭରୁଥିଲା ବୋଲି କହିଛନ୍ତି ମୋଦୀ । ଯେଉଁ ସରକାର ୟୁରିଆ ଦୁର୍ନୀତି କରିବ, ସେ ସରକାର ଚାଷୀଙ୍କୁ ଶସ୍ତାରେ କେମିତି ଦେବ ବୋଲି ସେ କହିଛନ୍ତି । ପୂର୍ବରୁ କୃଷକ, ଛାତ୍ର ଯାହା ମାଗିଲେ ଗ୍ୟାରେଣ୍ଟି ମଗାଯାଉଥିଲା । କିନ୍ତୁ ୨୦୧୪ ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ବ ନେଲା । ଯିଏ ଗ୍ୟାରେଣ୍ଟି ମାଗିଲା, ତାର ଗ୍ୟାରେଣ୍ଟି ମୋଦୀ ସରକାର ନେଲେ । ଜନ ଧନ ଯୋଜନା ଖାତା ଖୋଲାଯାଇ ବିନା ଗ୍ୟାରେଣ୍ଟିରେ ଋଣ ଦେବାକୁ ମୁଦ୍ରା ଯୋଜନା ଆରମ୍ଭ କରାଗଲା ବୋଲି ମୋଦୀ କହିଛନ୍ତି । ଏହି ଅବସରରେ ମେରା ଭାରତ ମେରା ପରିବାର ବୋଲି ନାରା ଦେବା ସହ ଏହି ନାରା ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି ବୋଲି କହି କଂଗ୍ରେସକୁ କଟାକ୍ଷ କରିଛନ୍ତି ମୋଦୀ । ଏହି ଅବସରରେ ବିଜେପିର ଅନେକ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Related Articles

Back to top button