ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହିବା ପ୍ରସଙ୍ଗରେ କ୍ଷମା ମାଗିଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର

ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦୀଙ୍କ ଭକ୍ତ କହିବା ପ୍ରସଙ୍ଗରେ କ୍ଷମା ମାଗିଲେ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । କହିଲେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ ବଦଳରେ ଭୁଲ ବଶତଃ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି ସମ୍ବିତ ପାତ୍ର । ହେଲେ ଏହି ଘଟଣାକୁ ନେଇ ଏବେ ସମ୍ବିତ ପାତ୍ରଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି ।ସମ୍ବିତ ପାତ୍ର ଟ୍ୱିଟ କରି ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ପରମ ଭକ୍ତ, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ପୁରୀ ଆଗମନ ଅବସରରେ ପୁରୀ ବଡଦାଣ୍ଡରେ ଜନଗହଳିରେ ଅନେକ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା କରିଥିଲି । ଏହି ଜନସମୁଦ୍ର ମଧ୍ୟରେ ଜଣେ ମିଡିଆ ବନ୍ଧୁଙ୍କ ସହ ବାର୍ତ୍ତା ସମୟରେ “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମୋଦୀ” ବଦଳରେ ଭୁଲରେ ମୋଦୀଙ୍କ ଭକ୍ତ ଜଗନ୍ନାଥ ଉଚ୍ଚାରଣ ହୋଇଯାଇଥିଲା ।

ସ୍ୱାଭାବିକ ଭାବେ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଙ୍କ ଭକ୍ତ । ବଡ ଠାକୁର ଶ୍ରୀ ଜଗନ୍ନାଥ ଆମ ମୁରବୀ । ଏହି ପ୍ରସଙ୍ଗରେ ରାଜନୀତି କରିବା ଅନୁଚିତ ହେବ ।

Related Articles

Back to top button