ଶ୍ରୀମନ୍ଦିର ନାଟମଣ୍ଡପରେ ଚଢିଗଲେ ଜଣେ ବ୍ୟକ୍ତି, ସିଂହଦ୍ଵାର ଥାନାରେ ଅଟକ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଉଠିଛି ପ୍ରଶ୍ନବାଚୀ। ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢିଗଲେ ଜଣେ ବ୍ୟକ୍ତି। ଶ୍ରୀମନ୍ଦିର ଘଣ୍ଟି ଦ୍ବାର ଦେଇ ସମ୍ପୃକ୍ତ ବ୍ୟକ୍ତିଜଣକ ନାଟମଣ୍ଡପ ଉପରେ ଚଢିଯାଇଥିବା ବେଳେ ଚୂନରା ସେବାୟତ ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପୋଲିସରେ ଜିମା ଦେଇଛନ୍ତି। ସିଂହଦ୍ଵାର ଥାନାରେ ଅଟକ ଥିବା ବ୍ୟକ୍ତି ଜଣକ ହେଉଛି ଗଞ୍ଜାମ ଜିଲ୍ଲା ଗାଲେରୀ ବାଲିପଡା ଅଞ୍ଚଳର ଜିତୁ ଗୌଡ।

ଖବର ଅନୁଯାୟୀ, ରବିବାର ପୂର୍ବାହ୍ନ ୧୧ ସମୟରେ ଜିତୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢ଼ିଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସେବାୟତ ମାନେ ଏହା ଦେଖି ପୋଲିସ ଓ ଶ୍ରୀମନ୍ଦିର ଜେଟିପିଙ୍କୁ ଜଣାଇଥିଲେ। ତେବେ କେଉଁ କାରଣରୁ ଜିତୁ ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଚଢିଥିଲା । ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି ସୂଚନା ଦେଉଛନ୍ତି। ଗତ କିଛି ମାସ ତଳେ ଜଣେ କିନ୍ନର ସିଂହଦ୍ଵାର ଗୁମୁଟ ଉପରୁ ଡେଇଁ ଆତ୍ମ‌ହତ୍ୟା କରିଥିଲେ। ଏହି ଘଟଣାମନରୁ ନ ଲିଭୁଣୁ ଆଜି ଆଉ ଜଣେ ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥା ଭେଦ କରି ଶ୍ରୀମନ୍ଦିର ନାଟମଣ୍ଡପ ଉପରେ କିଭଳି ଚଢିଗଲେ । ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Related Articles

Back to top button