ରାଗିଂ ପାଇଁ ରାଜ୍ୟ ସରକାର ଲାଗୁ କରିବେ କଠୋର ଆଇନ, ଜାରି ହେବ ହେଲପ୍ ଲାଇନ୍ ନମ୍ବର

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଏହା ମଧ୍ୟରେ ପାଖାପାଖି ୨ ସପ୍ତାହ ପୂରିବାକୁ ବସିଥିଲେ ହେଁ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ସୁଇସାଇଡ୍ ନୋଟରେ ରୁଚିକା ଯେଉଁ ୩ ଜଣ ସିନିୟର ଛାତ୍ରୀଙ୍କ ନାମ ଉଲ୍ଲେଖ କରିଥିଲେ ସେମାନଙ୍କର ପତ୍ତା ବର୍ତ୍ତମାନ ସୁଦ୍ଧା ପୋଲିସ ପାଇ ପାରିନାହିଁ ।

ବିଧାନସଭାରେ ବିରୋଧୀ ଓ ରୁଚିକାଙ୍କ ପରିବାରବର୍ଗ ମୃତ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ କ୍ୟାମ୍ପସ ମଧ୍ୟରେ ରାଗିଂ ରୋକିବାକୁ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ରାଜ୍ୟରେ ଖୁବଶୀଘ୍ର ଆଣ୍ଟି ରାଗିଂ ସ୍କ୍ୱାଡ୍ ଗଠନ କରାଯିବ ଓ ହେଲପ୍ ଲାଇନ୍ ନମ୍ବର ଜାରି କରାଯିବ । ଏନେଇ ଜିଲ୍ଲାପାଳମାନଙ୍କ ସହାୟତା ଲୋଡ଼ାଯିବା ସହ ବୈଠକ ଅନୁଷ୍ଠିତ ହୋଇଛି ।

ଯଦି କୌଣସି ଛାତ୍ରୀଛାତ୍ରୀ ରାଗିଂର ଶିକାର ହୁଅନ୍ତି, ତେବେ ସେ ଉକ୍ତ ହେଲପ୍ ଲାଇନ ନମ୍ବରରେ ଯୋଗାଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ନିକଟସ୍ଥ ଆଣ୍ଟି ରାଗିଂ ସ୍କ୍ୱାଡ୍ ଉକ୍ତ ଶିକ୍ଷାନୁଷ୍ଠାନ ଉପରେ ଚଢ଼ାଉ କରିବେ । ଏହି ସ୍କ୍ୱାଡରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ପୋଲିସ ସାମିଲ ହେବେ । ତେବେ ଚଢ଼ାଉ ସମୟରେ ଯଦି କୌଣସି ଛାତ୍ରଛାତ୍ରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସଙ୍ଗେସଙ୍ଗେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ ସେଲ ଓ ଆଣ୍ଟି ରାଗିଂ ସ୍କ୍ୱାଡ୍ ଗଠନ କରାଯିବା ସହ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଲିଫଲେଟ୍, ବୁକଲେଟ୍ ବଣ୍ଟନ କରିବାକୁ ବ୍ରହ୍ମପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

Related Articles

Back to top button