ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ

ଖଲିକୋଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଲେ ଭେଜିପୁଟ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଥଁ। ତାଙ୍କଠାରୁ  ଭିଜିଲାନସ ଟିମ କେମିକାଲ ବୋଳା ଟଙ୍କା ଜବତ କରିବା ସହ ହେପାଜତକୁ ନେଇଛି।

ସୂଚନା ଅନୁସାରେ,  ଖଲ୍ଲିକୋଟ ଥାନା ଭେଜିପୁଟ ଫାଣ୍ଡି ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ଭୁବନ ପାତ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟ ପକ୍ଷରୁ ଦୁଇଟି ଏତଲା ଆଧାରରେ ମାମଲା ରୁଜୁ ହୋଇଥିଲା। ଗିରଫଦାରୀ ଏଡାଇବା ଓ ୪୧ ସିଆର୍‌ପିସିରେ ନୋଟିସ୍ କରି ଭୁବନଙ୍କୁ ଛାଡ଼ିବା ପାଇଁ ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଦେବା ପାଇଁ ଭୁବନ ରାଜି ହୋଇଥିଲେ ଏବଂ ମଙ୍ଗଳବାର ସନ୍ଧ୍ୟାରେ ଟଙ୍କା ଦେବାକୁ ଜଣାଇଥିଲେ।

ଏ ସଂକ୍ରାନ୍ତରେ ଭୁବନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୮.୩୦ରେ ଭୁବନ ଭେଜିପୁଟ ଫାଣ୍ଡି ପହଞ୍ଚି ଲାଞ୍ଚ ଟଙ୍କା ଏସ୍‌ଆଇ ସନ୍ତୋଷଙ୍କୁ ଦେଇଥିଲେ । ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢଉ କରି ସନ୍ତୋଷଙ୍କ ଠାରୁ କେମିକାଲ୍ ବୋଳା ଲାଞ୍ଚ ଟଙ୍କା ଜବତ କରିବା ସହ ହେପାଜତକୁ ନେଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ଭେଜିପୁଟ ଫାଣ୍ଡି ଓ ସନ୍ତୋଷ ରହୁଥିବା ଘରେ ଛାନଭିନ୍ ଚଳାଇଥିବା ଜଣାଯାଇଛି ।

Related Articles

Back to top button