ଆଜି ସୁନାବେଶ: ରାତି ୧୨ ଯାଏ ଦର୍ଶନ

ପୁରୀ :  ଆଜି ମହାପ୍ରଭୁଙ୍କ ସୁନାବେଶ। ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଠାକୁରମାନଙ୍କ ସୁନାବେଶ ସମ୍ପାଦନ ହେବ। ରଥ ଉପରେ ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ଅବକାଶ, ବେଶ ଓ ଗୋପାଳବଲ୍ଲଭ ପରେ ସକାଳଧୂପ ନୀତି ସମ୍ପାଦିତ ହେବ। ଏହାପରେ ଅନ୍ୟାନ୍ୟ ନୀତି କରାଯାଇ ସନ୍ଧ୍ୟା ୫ଟାରୁ ସାଢ଼େ ୬ଟା ମଧ୍ୟରେ ସୁନାବେଶ ଅନୁଷ୍ଠିତ ହେବ। ଭକ୍ତମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ ଦର୍ଶନ କରିପାରିବେ। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ପାଇଁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ। ତେଣୁ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି। ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ଯେ, ସୁନାବେଶରେ ବ୍ୟାପକ ଜନସମାଗମ ହେବା ନେଇ ଆକଳନ କରାଯାଉଛି। ତଦନୁଯାୟୀ ଫୋର୍ସ ମହଜୁଦ ରଖିଛୁ। ଶ୍ରଦ୍ଧାଳୁଙ୍କ ଯାନବାହନ ପାର୍କିଂ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ସେହିଭଳି ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ଥିବା ପୋଲିସ ମୁତୟନ ସୁନାବେଶରେ ମଧ୍ୟ କାର୍ଯ୍ୟକ୍ଷମ ରହିବ ବୋଲି ପୁରୀ ଏସ୍‌ପି କନୱର ବିଶାଲ ସିଂ କହିଛନ୍ତି। ନିଷ୍ପତ୍ତି ଅନୁସାରେ ରବିବାର ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ସୁଦ୍ଧା ନୀତି ଶେଷ କରିବା ପାଇଁ ଚେଷ୍ଟା କରାଯିବ। ଏହାପରେ ମହାପ୍ରଭୁଙ୍କ ସୁନାବେଶ ଆରମ୍ଭ ହେବ। ରାତ୍ର ୧୨ଟା ପର୍ଯ୍ୟନ୍ତ ସୁନାବେଶ ଦର୍ଶନ ମିଳିବ। ସେବାୟତମାନେ ରଥ ଉପରକୁ କ୍ୟାମେରା ନେବେ ମାତ୍ର ଫଟୋ ଉଠାଇପାରିବେ ନାହିଁ। ସେବାୟତ ଫଟୋ ଉଠାଉଥିବା ଦେଖିବାକୁ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରଥ ଉପରେ ଦଇତାପତି କିମ୍ବା ସେବାୟତମାନେ ଠାକୁରଙ୍କ ଆଗରେ ଠିଆ ହୋଇ ଦର୍ଶନରେ ବାଧକ ସାଜିବେ ନାହିଁ। ଜିଲା ପ୍ରଶାସନ ଏହା ଉପରେ ଜୋର ଦେଉଛି। ଦଇତାପତିମାନେ ନିର୍ଦ୍ଦେଶନାମାକୁ ପାଳନ କରିବେ। ପାଳିଆ ସେବକ ଓ ଦଇତାପତିଙ୍କୁ ଛାଡ଼ି ସୁନାବେଶରେ କେହି ରଥ ଉପରେ ରହିବେ ନାହିଁ। ଦଇତାପତିଙ୍କ ସହ ହୋଇଥିବା ବୈଠକରେ ଜିଲାପାଳ ରଥଯାତ୍ରା ଭଳି ସବୁ ନୀତିକାନ୍ତିଙ୍କୁ ସଅଳ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଦଇତାପତି ନିଯୋଗର ସଭାପତି ଜଗନ୍ନାଥ ଦାସ ମହାପାତ୍ର କହିଛନ୍ତି।

Related Articles

Back to top button