ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି।

ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି। ଶନିବାର ସୁଦ୍ଧା ତିନିରଥର ୪୨ଟି ଚକ ମଧ୍ୟରୁ ପ୍ରାୟ ୩୨ଟି ଚକ ନିର୍ମାଣ ସରିଛି। ଭୋଇ ସେବକମାନେ ୩୬ଟି ଚକର ସିଙ୍ଗଡା ବାଡିଆ କାମ ଶେଷ କରିଛନ୍ତି। ଅନ୍ୟପକ୍ଷରେ ଶନିବାର ତାଳଧ୍ୱଜ ରଥର ପୋଲ ଗୟ ଚିରଟ ପାଇଁ ନରେନ୍ଦ୍ର ମହଲାରେ କାଠ ପଡିଛି। ଭୋଇ ସେବକମାନେ କ୍ରେନ ଯୋଗେ ୪୦ ଫୁଟିଆ ଧଉରା କାଠକୁ ସତର୍କତାର ସହ ନେଇ ଚିରଟ ସ୍ଥାନରେ ପକାଇଛନ୍ତି।

ଏହାକୁ ମହାରଣା ସେବକ ବାରିସୀରେ ସାଇଜ୍‌ କରିବା ପରେ କରତି ସେବକ ଚିରଟ କରିବେ। ଏହାପରେ ଅନ୍ୟ ଦୁଇରଥର ଗୟଳ କାଠ ପଡିବ। ସେହିପରି ତିନିରଥର ମୁହାଁଟ ଏବଂ ନିରାଡି ଚଉପଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ରଥର ଚାରି ପାର୍ଶ୍ୱରେ ଗୋଟିଏ ଗୋଟିଏ ନିରାଡି ଏବଂ ଗୋଟିଏ ଗୋଟିଏ ମୁହାଣ୍ଟ ଲାଗିଥାଏ। ପ୍ରଥମ ପର୍ଯ୍ୟାୟରେ ରଥ ଅମିନ ତିନି ରଥ ଚାଳି ଯୋଗାଇଥିବା ଚାରୋଟି ଲେଖାଏଁ ୨୦ ଫୁଟିଆ ଧଉରା କାଠରେ ଦୁଇଟି ମୁହାଣ୍ଟ ଏବଂ ଦୁଇଟି ନିରାଡ଼ି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ସେହିପରି ରଥଖଳାରେ ରୂପକାର ସେବକ ଖୋଦେଇ କାମରେ ଲାଗିପଡିଛନ୍ତି। ଏମାନେ ତିନିରଥର ଗୁଜରେ ସିଂହବିରାଳ ଖୋଦେଇ କରୁଛନ୍ତି। ସରିଯାଇଥିବା ରୂପ ଖୋଦେଇର ପଲିସି କାମ ବି ଜାରି ରହିଛି। ଦୋଳବେଦୀ କୋଣ ପରିସର ଅସ୍ଥାୟୀ କମାରଶାଳରେ କମାର ସେବକମାନେ ଦଣ୍ଡା କଣ୍ଟା ତିଆରି କରୁଛନ୍ତି।

Related Articles

Back to top button