ତାପମାତ୍ରା ବଢିବା ସହ ରାଜ୍ୟରେ ୩ ଦିନ ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଗତ ଦୁଇ ଦିନ ହେବ ଅଧିକାଂଶ ସ୍ଥାନରେ ତାପମାତ୍ରା ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଗୁରୁବାର ରାଜ୍ୟର ଏକାଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଥିବା ବେଳେ ୧୩ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨-୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ୩୧ ତାରିଖ ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ଓ ଜଳୀୟବାଷ୍ଫପୂର୍ଣ୍ଣ ବାୟୁର ପ୍ରଭାବ ଯୋଗୁଁ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଯାଜୁପୁର ଆଦି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ବିଜୁଳି ଘଡ଼ଘଡ଼ି ସହ ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ ଦେଇଛି। ମୁଖ୍ୟତଃ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବଜ୍ରପାତରୁ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button