
ଜଳେଶ୍ୱରରେ ୨୦ ଏକର ଜଙ୍ଗଲ ପୋଡି
ଜଳେଶ୍ୱର: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆର ରଙ୍ଗମାଟିଆ ଜଙ୍ଗଲରେ ଗୁରୁବାର ମଧ୍ୟାହ୍ନରୁ ନିଆଁ ଲାଗିଛି। ବିସ୍ତୀର୍ଣ୍ଣ ଅଞ୍ଚଳକୁ ନିଆଁ ବ୍ୟାପିଥିଲେ ମଧ୍ୟ ବନବିଭାଗ ଲିଭାଇବାରେ ସଫଳ ହୋଇ ହୋଇପାରିନାହିଁ। ୧୦୦ ଏକରରୁ ଅଧିକ ଜଙ୍ଗଲରୁ ସନ୍ଧ୍ୟା ସୁଦ୍ଧା ପ୍ରାୟ ୨୦ ଏକର ଜଙ୍ଗଲ ପୋଡି ନଷ୍ଟ ହୋଇଛି। ରଙ୍ଗାମାଟିଆକୁ ଲାଗି ଭୋଳ, ସୁରେଇଘାଇ, ଭାଡ୍ରାପଡା, ଧାନଘେରା, ଦୁଖିଆଶୋଳ ଆଦି ଜଙ୍ଗଲ ରହିଛି। ତେଣୁ ନିଆଁ ଲିଭାଇବା ଲାଗି ବନବିଭାଗ ପକ୍ଷରୁ ଆପ୍ରାଣ ଉଦ୍ୟମ କରାଯାଉଛି।
ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ରଙ୍ଗାମାଟିଆ-ଭୋଳ ଜଙ୍ଗଲରେ ନିଆଁ ଲାଗିଛି। ଦ୍ୱିପ୍ରହରରେ ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀମାନେ ଜଙ୍ଗଲରେ ନିଆଁ ଲାଗିଥିବା ଜାଣି ବନବିଭାଗକୁ ଜଣାଇଥିଲେ। ଫାୟାର ପ୍ରୋଟେକ୍ସନ୍ ସ୍କ୍ବାଡ୍ ନିଆଁ ଲିଭାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟ ମହୁଲ ସଂଗ୍ରହ ସମୟ ହୋଇଥିବାରୁ ଓ ବର୍ଷାଦିନ ପୂର୍ବରୁ ଶାଳଜଙ୍ଗଲ ସଫା ରଖିବା ଲାଗି କେତେକ ଅସଚେତନ ବ୍ୟକ୍ତି ନିଆଁ ଲଗାଇ ଦେଇଥାନ୍ତି କିମ୍ବା କାର୍ଯ୍ୟରତ ଶ୍ରମିକ ବିଡି କିମ୍ବା ସିଗାରେଟ ଖାଇ ପକାଇ ଦେଇଥାନ୍ତି। ଏହି ନିଆଁ ପରେ ଜଙ୍ଗଲକୁ ବ୍ୟାପିଥାଏ ବୋଲି ବରଡିଆ ଫରେଷ୍ଟର ଦେବରାଜ ରାଉତ କହିଛନ୍ତି।