୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ରାଇରଙ୍ଗପୁରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ କଲେ ଲୋକାର୍ପଣ

୪ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ରାଇରଙ୍ଗପୁରର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଲୋକାର୍ପଣ କରିଛନ୍ତି ରାଷ୍ଟ୍ରପତି । ମହୁଲଢିହା ଠାରେ ଅବକାଶ ଗୃହ ଶିଳାନ୍ୟାସ, ରାଇରଙ୍ଗପୁର ୨୨୦ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ସ୍ପୋର୍ଟସ କମ୍ପ୍ଲେକ୍ସର ଶିଳାନ୍ୟାସ କରିବା ସହ ବଡ଼ସାହି ଏକଲବ୍ୟ ମଡେ଼ଲ ସ୍କୁଲର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ସେ ମୟୂରଭଞ୍ଜ ଜିଲ୍ଲାର ଖିଚିଂ ମନ୍ଦିରେ ପହଞ୍ଚିଥିଲେ । ମା କୀଚକେଶ୍ୱରୀଙ୍କୁ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ । ସେଠାରୁ ରାଇରଙ୍ଗପୁର ଅଭିମୁଖେ ବାହାରିଥିଲେ ରାଷ୍ଟ୍ରପତି । ଚାରି ଦିନିଆ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି।

ଏଥି ମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ। ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ । ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର ବି କାର୍ଯ୍ୟକ୍ରମ ରହିଛି । କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Related Articles

Back to top button