ଆଜି ପାଳିତ ହେଉଛି ଛେନାପୋଡ଼ ଦିବସ

ଓଡ଼ିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଏହା ହେଉଛି ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ। ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଅବଦାନ ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍‌‌ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ।

ଏକ ଛୋଟିଆ ଭୁଲରୁ ସୃଷ୍ଟି ହେଇଥିଲା ଏହି ସୁଆଦିଆ ମିଠା। ସୁଦର୍ଶନ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ। ଏକଦା ତାଙ୍କ ଦୋକାନରେ କିଛି ଛେନା ବଳକା ରହିଯାଇଥିଲା । ତାହା ସକାଳକୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ରଡନିଆଁରେ ପୋଡ଼ିଦେଇଥିଲେ। ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା। ପ୍ରଥମେ ତାହା ଛେନାପୋଡ଼ ପିଠା ହୋଇଥିଲା। ପରେ ଏହା ପିଠାରୁ ମିଠା ପାଲଟିଥିଲା। ଖୁବ୍‌ କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡ଼ରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ଼ ପଠାଯାଇଥିଲା। ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହା ପ୍ରସ୍ତୁତ ହୋଇ ବିକ୍ରି ହେଲା।

Related Articles

Back to top button