ୟୁଏଇରେ ଖେଳାଯିବ ଏସିଆ କପ୍ ୨୦୨୨

ଶ୍ରୀଲଙ୍କା ନୁହେଁ ୟୁନାଇଟେଡ୍ ଆରବ ଏମିରାଟ୍ସ(ୟୁଏଇ)ରେ ଖେଳାଯିବ ଏସିଆ କପ୍ ୨୦୨୨। ବୁଧବାର ଏହାର ଆନୁଷ୍ଠାନିକ ଘୋଷଣା କରିଛି ଏସିଆନ କ୍ରିକେଟ୍ କାଉନସିଲ। ଛଅଟି ଦେଶକୁ ନେଇ ଆୟୋଜନ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୧୧ରେ ଖେଳାଯିବ। ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ। ଭାରତ ହେଉଛି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ। ୨୦୧୮ରେ ବାଂଲାଦେଶକୁ ହରାଇ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା।

ଏସିଆ କ୍ରିକେଟ୍ ପରିଷଦ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଶ୍ରୀଲଙ୍କାରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ବ୍ୟାପକ ବିଚାର ବିମର୍ଶ ପରେ ଟୁର୍ଣ୍ଣାମେଣ୍ଟକୁ ଶ୍ରୀଲଙ୍କାରୁ ୟୁଏଇ ସ୍ଥାନାନ୍ତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ସମ୍ମି ସିଲଭା କହିଛନ୍ତି, ଆମେ ବାସ୍ତବରେ ବହୁପ୍ରତୀକ୍ଷିତ ଏସିଆ କପ୍ ଆୟୋଜନ ପାଇଁ ବହୁତ ଉତ୍ସୁକ ଥିଲୁ। ହେଲେ ସ୍ଥିତିକୁ ଦୃଷ୍ଟିରେ ରଖି ୟୁଏଇରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ୟୁଏଇରେ ଆୟୋଜନ  ସୁନିଶ୍ଚିତ କରିବା ପାଇଁ  ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏସିସି ଏବଂ ୟୁଏଇ ବୋର୍ଡ ସହିତ ମିଶି କାମ କରିବ।

ଏହା ପୂର୍ବରୁ ୟୁଏଇ ତିନି ଥର ଏସିଆ କପ ଆୟୋଜନ କରି ସାରିଛି। ପ୍ରତି ଥର ଭାରତୀୟ ଦଳ ୟୁଏଇରେ ତ୍ରିରଙ୍ଗା ଲହରାଇବାରେ ସଫଳ ହୋଇଛି। ୟୁଏଇ ୧୯୮୪, ୧୯୯୬ ଏବଂ ୨୦୧୮ ଏସିଆ କପ୍ ଆୟୋଜନ କରି ସାରିଛି। ୨୦୧୮ରେ ରୋହିତ ଶର୍ମାଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ଚାମ୍ପିଅନ ହୋଇଥିଲା।

Related Articles

Back to top button