ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଦମଦାର ପ୍ରତ୍ୟାବର୍ତ୍ତନ କରି ସିନ୍ଧୁ ପହଞ୍ଚିଲେ ସେମିରେ

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଦୁଇ ଥରର ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦମଦାର ପ୍ରଦର୍ଶନ କରି ମହିଳା ଏକକ ବର୍ଗର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ଵାର୍ଟର ଫାଇନାଲ୍‌ରେ ମାଲେସିଆର ଜିନ ଓ୍ଵେଇ ଗୋହଙ୍କୁ ୧୯-୨୧, ୨୧-୧୪, ୨୧-୧୮ରେ ପରାସ୍ତ କରିଛନ୍ତି। ପଦକ ସୁନିଶ୍ଚିତ କରିବା ପାଇଁ ସେ ମାତ୍ର ଗୋଟିଏ ବିଜୟ ଦୂରରେ ଅଛନ୍ତି। ଯଦି ସେ ଫାଇନାଲ୍‌ ଜିତନ୍ତି ତେବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସ୍ଵର୍ଣ୍ଣ ପଦକ ନିଜ ନାମରେ କରିବେ।

ବର୍ମିଂହାମରେ ଜାରି ଏହି ଖେଳରେ ୨୭ ବର୍ଷୀୟ ପିଭି ସିନ୍ଧୁ ଶନିବାର ମହିଳା ଏକକ କ୍ଵାର୍ଟର ଫାଇନାଲ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ସେ ସଂଘର୍ଷପୂର୍ଣ୍ଣ ପ୍ରଥମ ଗେମ୍‌ରେ ୧୯-୨୧ରେ ପରାସ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଦୁଇ ଗେମରେ ସେ ମାଲେସିଆ ପ୍ରତିଦ୍ଵନ୍ଦ୍ଵୀଙ୍କୁ କୌଣସି ସୁଯୋଗ ଦେଇନଥିଲେ। ସିନ୍ଧୁ ଦ୍ଵିତୀୟ ଗେମ୍‌ ୨୧-୧୪ରେ ଜିତିବା ପରେ ନିର୍ଣ୍ଣାୟକ  ଗେମକୁ ୨୧-୧୮ରେ ଜିତି ନେଇଥିଲେ।

ସିନ୍ଧୁ ଏହା ପୂର୍ବରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଥିଲେ। ସିନ୍ଧୁ ୨୦୧୬ରେ ରିଓ ଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ବେଳେ ଟୋକିଓ ଅଲିମ୍ପିକରେ କାଂସ୍ୟ ପଦକ ଜିତିଥିଲେ। ଏବେ ତାଙ୍କ ନଜର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଉପରେ ରହିଛି।

ସିନ୍ଧୁ ପ୍ରଥମ ରାଉଣ୍ଡରେ ମାଳଦ୍ଵୀପର ଫାତିମାଥଙ୍କୁ ହରାଇଥିବା ବେଳେ ପରବର୍ତ୍ତୀ ରାଉଣ୍ଡରେ ଉଗାଣ୍ଡାର ହୁସିନା କୋବିଗାବେଙ୍କୁ ୨୧-୧୦, ୨୧-୯ରେ ହରାଇ କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୁଇ ଥର ଏକକ ବର୍ଗରେ ପଦକ ଜିତି ସାରିଛନ୍ତି। ୨୦୧୮ରେ ରୌପ୍ୟ ଏବଂ ୨୦୧୪ରେ  କାଂସ୍ୟ ପଦକ ଜିତିଥିଲେ।

Related Articles

Back to top button