ଟି-୨୦ ବ୍ୟାଟସମ୍ୟାନ ମାନ୍ୟତା: ସୂର୍ଯ୍ୟକୁମାର ନମ୍ବର ୩, ଭୁବନେଶ୍ଵର ନମ୍ବର ୯, ରୋହିତ ନମ୍ବର ୧୪

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତୀୟ ପରାଜିତ ହୋଇଥିଲେ ହେଁ ଆଇସିସି ଦ୍ଵାରା ବୁଧବାର ଘୋଷିତ ସଦ୍ୟତମ ଟି-୨୦ ମାନ୍ୟତାରେ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଫାଇଦା ମିଳିଛି। ଦଳର ଷ୍ଟାର ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ ଟି-୨୦ ମାନ୍ୟତାରେ ନମ୍ବର ୩କୁ ଉଠିଛନ୍ତି। ସେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପଛରେ ପକାଇଛନ୍ତି।

ଯାଦବ ଗୋଟିଏ ସ୍ଥାନ ଉନ୍ନତି ଘଟାଇଥିବା ବେଳେ ଆଜମ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ରେଟିଂ ପଏଣ୍ଟ ୭୮୦ ରହିଥିବା ବେଳେ ବାବରଙ୍କ ରେଟିଂ ପଏଣ୍ଟ ହେଉଛି ୭୭୧। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ୨୫ ବଲ୍‌ରୁ ୪୬ ରନ କରିଥିଲେ। ଏଥିରେ ୪ ଛକା ସାମିଲ୍। ହେଲେ ଯାଦବଙ୍କ ଏହି ଇନିଂସ ଭାରତୀୟ ଦଳର କାମରେ ଆସିନାହିଁ। ଭାରତ ୨୦୮ ରନ କରି କି ବି ୪ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆ ହାତରୁ ପରାଜିତ ହୋଇଛି।

ଟି-୨୦ ବ୍ୟାଟସମ୍ୟାନ ମାନ୍ୟତାରେ ସୂର୍ଯ୍ୟକୁମାର ଯାଦବ ଏକ ମାତ୍ର ଭାରତୀୟ ବ୍ୟାଟସମ୍ୟାନ ଭାବେ ଶୀର୍ଷ ୧୦ରେ ଅଛନ୍ତି। ଏହା ପରେ ରୋହିତ ଶର୍ମା ରହିଛନ୍ତି, ଯାହାଙ୍କ  ମାନ୍ୟତା ହେଉଛି ୧୪ତମ ସ୍ଥାନ। ବୋଲିଂ ମାନ୍ୟତାରେ ଭୁବନେଶ୍ଵର କୁମାର ଦୁଇଟି ସ୍ଥାନ ତଳକୁ ଖସି ନବମରେ ପହଞ୍ଚିଛନ୍ତି। ଗତକାଲିର ମ୍ୟାଚ୍‌ରେ ଭୁବନେଶ୍ଵର କୁମାର ୪ ଓଭରରେ ୫୨ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇ ଗୋଟିଏ ହେଲେ ଓ୍ଵିକେଟ୍ ନେଇ ପାରି ନଥିଲେ। ଟି-୨୦ ବୋଲିଂ ମାନ୍ୟତାରେ ଭୁବନେଶ୍ଵର କୁମାର ଏକ ମାତ୍ର ଭାରତୀୟ ବୋଲର ହିସାବରେ ଶୀର୍ଷ ୧୦ରେ ଅଛନ୍ତି।

ଅଲରାଉଣ୍ଡର ମାନ୍ୟତାରେ ନଜର ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦମଦାର ପ୍ରଦର୍ଶନର ପୁରସ୍କାର ମିଳିଛି। ପାଣ୍ଡ୍ୟା ଅଲରାଉଣ୍ଡର ମାନ୍ୟତାର ଟପ୍ ୫ରେ ପ୍ରବେଶ କରିଛନ୍ତି। ସେ ୨ଟି ସ୍ଥାନ ଉନ୍ନତି ଘଟାଇ ପଞ୍ଚମ ସ୍ଥାନକୁ ଉଠିଛନ୍ତି। ପାଣ୍ଡ୍ୟାଙ୍କ ରେଟିଂ ପଏଣ୍ଟ ୧୮୦ ରହିଥିବା ବେଳେ ୨୪୮ ରେଟିଂ ସହ ସାକିବ ଅଲ ହସନ ଶୀର୍ଷରେ ରହିଛନ୍ତି।

Related Articles

Back to top button