ଭାରତ ବିପକ୍ଷ ସିରିଜରୁ ଓହରିଲେ ଅଷ୍ଟ୍ରେଲିଆର ଖେଳାଳି ମାର୍ଶ, ଷ୍ଟାର୍କ, ଷ୍ଟୋଇନିସ

ମେଲବୋର୍ନ: ଆସନ୍ତା ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆର ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ମାର୍କୁସ ଷ୍ଟୋଇନିସ ଓହରି ଯାଇଛନ୍ତି। ଆହତ ସମସ୍ୟା କାରଣରୁ ଏହି ଖେଳାଳିମାନେ ଭାରତରେ ହେବାକୁଥିବା ସିରିଜପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ବୁଧବାର କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଷ୍ଟାର୍କ ଆଣ୍ଠୁରେ ଆଘାତ ପାଇଥିବାବେଳେ ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ପାଦ ଓ ସାଇଡ୍‌ ଷ୍ଟ୍ରେନ୍‌ ସମସ୍ୟାରେ ଅଛନ୍ତି। ଆହତ ସମସ୍ୟା ମାମୁଲି ଥିଲେ ହେଁ ଆଗକୁ ଟି୨୦ କ୍ରିକେଟ ବିଶ୍ୱକପକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ରିସ୍କ ନେବାକୁ ଚାହୁଁନାହିଁ। ଅକ୍ଟୋବରରେ ଅଷ୍ଟ୍ରେଲିଆ ଏହାର ଘରୋଇ ମାଟିରେ ଟି୨୦ କ୍ରିକେଟ ବିଶ୍ୱକପ ଖେଳିବ। ଭାରତ ବିପକ୍ଷ ଟୁର୍‌ ପାଇଁ ଡେଭିଡ ଓ୍ବାର୍ନରଙ୍କୁ ବିଶ୍ରାମ ଦିଆଯାଇ ସାରିଥିବାରୁ ଆହତ ଏହି ୩ ଖେଳାଳିଙ୍କ ସ୍ଥାନରେ ଚୟନକର୍ତ୍ତାମାନେ ଆଉ ୩ ଜଣଙ୍କୁ ନେବାକୁ ବାଧ୍ୟ ହୋଇଛନ୍ତି।

ବଦଳ ଖେଳାଳିଭାବେ ଅଷ୍ଟ୍ରେଲିଆ ଦଳରେ ନାଥାନ ଏଲିସ, ଡାନିଏଲ ସାମ୍ସ ଓ ସିଅନ ଆବୋଟ ସ୍ଥାନ ପାଇଛନ୍ତି। ମାର୍ଶ ଓ ଷ୍ଟୋଇନିସ ଯଥାକ୍ରମେ ଜିମ୍ବାଓ୍ବେ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆଘାତ ପାଇଥିଲେ। ଷ୍ଟାର୍କଙ୍କ ପାଦରେ ସ୍କାନ କରାଯିବାପରେ ତାଙ୍କୁ ବିଶ୍ରାମ ପରାମର୍ଶ ଦିଆ ଯାଇଛି। ଅଷ୍ଟ୍ରେଲିଆ ଦଳ ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲି, ନାଗପୁର ଓ ହାଇଦ୍ରାବାଦରେ ୩ଟି ଟି୨୦ ଖେଳିବ। ଭାରତ ଟୁର୍‌ପରେ ଅଷ୍ଟ୍ରେଲିଆ ଆଗାମୀ ବିଶ୍ୱକପ ପୂର୍ବରୁ ଓ୍ବେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳିବ।

Related Articles

Back to top button