
ନୀରଜ ଚୋପ୍ରାଙ୍କ ଆଉ ଏକ କମାଲ, ଫିନଲାଣ୍ଡରେ ଜିତିଲେ ସ୍ୱର୍ଣ୍ଣ ପଦକ, ବିଶ୍ୱ ଚାମ୍ପିଅନଙ୍କୁ ପଛରେ ପକାଇଲେ
ଭାରତୀୟ ତାରକା ଆଥଲେଟ୍ ନୀରଜ ନିଜର ପ୍ରଥମ ପ୍ରୟାସରେ ହିଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି
ଟୋକିଓ ଅଲିମ୍ପିକ୍ସ ୨୦୨୦ର ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ପୁଣି ଥରେ କମାଲ କରିଛନ୍ତି । ଫିନଲାଣ୍ଡରେ ଖେଳା ଯାଉଥିବା କୁଅର୍ତାନେ ଗେମ୍ସରେ ନୀରଜ ଚୋପ୍ରା ଶନିବାର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ଚୋପ୍ରା ଏଠାରେ ରେକର୍ଡ ୮୬.୬୯ ମିଟର ଜାଭେଲିନ ଫିଙ୍ଗି ତ୍ରିନିଦାଦ ଆଣ୍ଡ ଟୋବାଗୋର କେଶୋର୍ନ ୱାଲକଟ୍ ଏବଂ ବିଶ୍ୱ ଚାମ୍ପିଅନ ଗ୍ରେନେଡାର ଆଣ୍ଡରସନ ପିଟର୍ସଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଚୋପ୍ରା ନିକଟରେ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।
ନୀରଜ ୮୬.୬୯ ମିଟର ଭାଲା ଫିଙ୍ଗି ଦମଦାର ଆରମ୍ଭ କରିଥିଲେ । ତାଙ୍କର ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବା ପାଇଁ ଏହା ଯଥେଷ୍ଟ ଥିଲା । ନୀରଜଙ୍କ ଦ୍ୱିତୀୟ ଏବଂ ତୃତୀୟ ପ୍ରୟାସ ବିଫଳ ରହିଥିଲା କାରଣ ସେ ତିନି ଥର ହିଁ ଭାଲା ଫିଙ୍ଗିଥିଲେ । ଏହା ସତ୍ୱେ ଭାରତୀୟ ତାରକା ଆଥଲେଟ୍ ନୀରଜ ନିଜର ପ୍ରଥମ ପ୍ରୟାସରେ ହିଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି । ୨୦୧୨ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ୱାଲକଟ୍ ୮୬.୬୪ ମିଟର ସହିତ ରୌପ୍ୟ ଏବଂ ପିଟର୍ସ ୮୪.୭୫ ମିଟର ସହିତ କାଂସ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସ ପରେ ୨୪ ବର୍ଷୀୟ ନୀରଜଙ୍କ ଏହା ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟ । ସେ ଟୋକିଓ ଅଲିମ୍ପିକ୍ସରେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲେ ।
ନୀରଜ ଚୋପ୍ରାଙ୍କ ଏହି ସଫଳତାରେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ବେଶ ଶତମୁଖ ହୋଇ ଉଠିଛନ୍ତି । ସେ ନୀରଜ ଚୋପ୍ରାଙ୍କ ଭିଡିଓ ଟୁଇଟ୍ କରିଛନ୍ତି । ଲେଖିଛନ୍ତି ନୀରଜଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ପୁଣି ଥରେ ସେ କମାଲ କରିଛନ୍ତି । ଏହା ପୂର୍ବରୁ ନୀରଜ ଫିନଲାଣ୍ଡରେ ଜାତୀୟ ରେକର୍ଡ ନିଜ ନାମରେ କରିଥିଲେ । ଏଠାରେ ଅନୁଷ୍ଠିତ ପାଭୋ ନୁରମୀ ଖେଳରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ । ସେ ୮୯.୩୦ ମିଟର ଜାଭେଲିନ ଫିଙ୍ଗି ନିଜର ଜାତୀୟ ରେକର୍ଡ ଭାଙ୍ଗିଥିଲେ ।