ଏସିଆନ ଜୁନିୟର ଆଥଲେଟିକ୍ସ: ଜାତୀୟ ଶିବିର ପାଇଁ ଚୟନ ହେଲେ ଓଡିଶାର ରେୟାନ, ଜୟରାମ

ଭୁବନେଶ୍ୱର: ଏସିଆନ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତର ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆୟୋଜିତ ଜାତୀୟ ଶିବିର ପାଇଁ ଖେଳାଳି ଚୟନ କରାଯାଇଛି । ଏହି କ୍ୟାମ୍ପରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟଙ୍କୁ ଚାମ୍ପିୟନଶିପ ପାଇଁ ଚୟନ କରାଯିବ । ଓଡିଶାର ଦୁଇ ଉଦୀୟମାନ ଆଥଲେଟ ରେୟାନ ବଶା ଓ ଦଣ୍ଡପତି ଜୟରାମ ଶିବିର ପାଇଁ ଚୟନ ହୋଇଛନ୍ତି । ଦକ୍ଷିଣ କୋରିଆରେ ଜୁନ ୪ରୁ ୭ ପର୍ଯ୍ୟନ୍ତ ଏସିଆନ ଚାମ୍ପିୟନଶିପ ଆୟୋଜିତ ହେବ ।

ରେୟାନ ୧୮ ବର୍ଷରୁ କମ ଓଡିଶା ଏବଂ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଜାତୀୟ ୟୁଥ ଚାମ୍ପିୟନଶିପରେ ସେ ୧୦୦ ମିଟରରେ ସ୍ୱର୍ଣ୍ଣ, ୨୦୦ ଓ ୧୦୦୦ ମିଟର ମିଡଲେରେ ଗୋଟିଏ ଲେଖାଁଏ ରୌପ୍ୟ ପଦକ ହାସଲ କରି ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । ଏସିଆନ ୟୁଥ ୧୮ ବର୍ଷରୁ କମ ଚାମ୍ପିୟନଶିପର ମିଡଲେ ରିଲେରେ ରେୟାନ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ଜୟରାମ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ୧୦୦ ମିଟରେ ୧୦.୫୩ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଜୁନିୟର ଫେଡ କପ ଚାମ୍ପିୟନଶିପ ୨୦୨୩ ଏବଂ ଜାତୀୟ ଜୁନିୟର ଚାମ୍ପିୟନଶିପ ୨୦୨୨ର ୧୦୦ ମିଟରରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ୨୦ ବର୍ଷରୁ କମ ଏସିଆନ ଚାମ୍ପିୟନଶିପର ରିଲେ ଟିମ ପାଇଁ ମଧ୍ୟ ମନୋନୀତ ହୋଇଥିଲେ ।

ଏହି ଦୁଇ ଆଥଲେଟ ଓଡିଶା ଆରଏଫ ଆଥଲେଟିକ୍ସ ଏଚପିସିରେ ପ୍ରଶିକ୍ଷଣ ନେଉଛନ୍ତି । ଜାତୀୟ ଶିବର ବାଙ୍ଗାଲୋରର ସାଇ ଏନଏସଏସସିରେ ଆୟୋଜିତ ହେବ । ଜୁନିୟର ସ୍ତରରେ ରେୟାନ ଓ ଜୟରାମଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସେମାନେ ତାଙ୍କ ପ୍ରଦର୍ଶନ ବଳରେ ଭାରତକୁ ଗୌରବାନ୍ୱିତ କରିବେ ବୋଲି ଆଶା କରାଯାଉଛି ।

Related Articles

Back to top button