୫ ଓ୍ଵିକେଟ୍‌ରେ ଭାରତକୁ ହରାଇଲା ପାକିସ୍ତାନ

pakistan-won-by-5-wkts

ଦୁବାଇ:  ଲିଗ୍ ମ୍ୟାଚ୍‌ ପରେ ଏସିଆ କପ୍‌-୪ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏଥର ବାଜି ମାରିଲା ପାକିସ୍ତାନ। ହୃଦସ୍ପନ୍ଦନ ବଢାଇ ଦେଇଥିବା ମୁକାବିଲାରେ ପାକିସ୍ତାନ ୫ ଓ୍ଵିକେଟ୍‌ରେ ଭାରତକୁ ହରାଇଛି। ଏଥିସହ ଏସିଆ କପରେ ଲିଗ୍ ପର୍ଯ୍ୟାୟର ପ୍ରତିଶୋଧ ନେଇଛି ପାକିସ୍ତାନ। ଭାରତୀୟ ବୋଲରଙ୍କ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ଭାରତକୁ ପରାଜିତ କରିଛି। ଅନ୍ୟପଟେ ମହମ୍ମଦ ରିଜଓ୍ଵାନଙ୍କ ଲଢୁଆ ୭୧ ରନ ଏବଂ ମହମ୍ମଦ ନଓ୍ଵାଜଙ୍କ ୪୨ ରନ ବଳରେ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ପାକିସ୍ତାନ। ଏଥିସହ ବିରାଟ କୋହଲିଙ୍କ ୬୦ ରନର ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ କୋହଲିଙ୍କ ୬୦ ରନ ବଳରେ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଆଜିର ମ୍ୟାଚ୍‌ରେ ଅର୍ଶଦୀପ ସିଂହ ଏବଂ ରବି ବିଷ୍ଣୋଇଙ୍କୁ ବାଦ୍ ଦେଲେ ବାକି ବୋଲର ନିରାଶ କରିଥିଲେ।

୧୮୨ ରନର  ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ ୧୪ ରନ କରି ଆଉଟ୍ ହୋଇଥିଲେ। ରବି ବିଷ୍ଣୋଇ ବାବରଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ଇନଫର୍ମ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ଚହଲ ଫକର ଜମାନ(୧୫)ଙ୍କୁ ଆଉଟ୍ କରିଥିଲେ। ତେବେ ରିଜଓ୍ଵାନ ଏବଂ ମହମ୍ମଦ ନଓ୍ଵାଜଙ୍କ ଯୋଡି ଭାରତକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାକିସ୍ତାନର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ମହମ୍ମଦ ରିଜଓ୍ଵାନ ଏସିଆ କପ୍‌ରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ରିଜଓ୍ଵାନ ଏବଂ ନଓ୍ଵାଜ ତୃତୀୟ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ।

ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଭୁବନେଶ୍ଵର କୁମାର। ୧୬ତମ ଓଭରରେ ନଓ୍ଵାଜ ମାତ୍ର ୨୦ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୧୫.୩ ଓଭରରେ ୧୩୬ ରନ କରି ମଜବୁତ ସ୍ଥିତିରେ ଥିବା ପାକିସ୍ତାନ ଏହି ଯୋଡି ଭାଙ୍ଗିବା ପରେ ଚାପରେ ଆସିଥିଲା। ଏହା ପରେ ମହମ୍ମଦ ରିଜଓ୍ଵାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ୫୧   ବଲ୍‌ରୁ ୬ ଚୌକା ଏବଂ ୨ ଛକା ସହ ୭୧ ରନ କରିଥିଲେ। ଅନ୍ତିମ ୨ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୨୬ ରନ ଦରକାର ଥିଲା।  ହେଲେ ୧୯ ତମ ଓଭରରେ ଭୁବନେଶ୍ଵର କୁମାର ୧୯ ରନ ଦେବା ଭାରତକୁ ବହୁତ ମହଙ୍ଗା ପଡିଥିଲା। ଶେଷ ଓଭରରେ ୭ ରନ ଥିବା ବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଖୁସଦିଲ ଶାହ ଅପରାଜିତ ୧୪ ରନ ଏବଂ ଇଫତିଖାର ଅହମ୍ମଦ ୨ ରନରେ ଅପରାଜିତ ଥିଲେ।

ଆଜିର ମୁକାବିଲାରେ ଭାରତୀୟ ବାେଲର ନିରାଶ କରିଛନ୍ତି। ବିଶେଷ କରି ଭୁବନେଶ୍ଵର କୁମାର ୪୦ ରନ, ୟୁଜବେନ୍ଦ୍ର ଚହଲ ୪୩ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୪୪ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ ସିଂହ ଏବଂ ରବି ବିଷ୍ଣୋଇ ଭଲ କରିଥିଲେ ହେଁ ଭାରତକୁ ଜିତାଇ ପାରି ନାହାନ୍ତି। ଏ ସମସ୍ତ ବୋଲରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲେ ହେଁ ଦଳକୁ ପରାଜୟର ବଞ୍ଚାଇ ପାରି ନାହାନ୍ତି।

ଭାରତୀୟ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଦୁଇ ଓପନର ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ। ପୁଣି ରାହୁଲ ଭଲ ଫର୍ମରେ ନଜର ଆସୁଥିଲେ ହେଁ ଅଧିକ ସମୟ କ୍ରିଜରେ ଜମି ପାରିନଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା।

ଗତ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଥିବା ସୂର୍ଯ୍ୟ ୧୩ ରନ କରି ନିରାଶ ହୋଇଥିଲେ। ଋଷଭ ପନ୍ତ ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ସେ ୧୪ ରନ କରି ପାଭିଲିୟନ ଫେରିଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା। ଏହି କ୍ରମରେ ବିରାଟ କୋହଲି ଏସିଆ କପରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡ୍ଡା ୧୬ ରନ କରିଥିଲେ।  ବିରାଟ କୋହଲି ଶେଷ ଓଭରରେ ପାଭିଲିୟନ ଫେରିଥିଲେ। ସେ ୪୪ ବଲରୁ ୪ ଚୌକା ଏବଂ ୧ ଛକା ସହ ୬୦ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି।

ପାକିସ୍ତାନ ପକ୍ଷରୁ ଶାଦବ ଖାନ ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ନସୀମ ଶାହ, ମହମ୍ମଦ ହସନେନ, ହାରିସ ରାଉଫ ଏବଂ ମହମ୍ମଦ ନଓ୍ଵାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Related Articles

Back to top button