ଅଧିକ ସ୍ମାର୍ଟଫୋନ୍‌ ବ୍ୟବହାର ଆଖିକୁ ବିପଦ

ଏବେ ହାଇଟେକ୍‌ ଯୁଗ। ସ୍ମାର୍ଟଫୋନ୍‌ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍‌ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର ଅଛି। ଏହା ହୁଏତ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆପଣଙ୍କ ସହ ବାନ୍ଧି ରଖିଥାଏ, କିନ୍ତୁ ଆପଣଙ୍କ ଦୃଷ୍ଟିଶକ୍ତିକୁ ବିଗାଡ଼ିବାରେ ଏହାର ପ୍ରମୁଖ ଭୂମିକା ରହିଛି। ଆଖି ଗୋଟିଏ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ସମୟ ଲାଖି ରହିବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ତେଣୁ ନିୟମିତି ସମୟ ଅନ୍ତରାଳରେ ଆଖିକୁ ବିଶ୍ରାମ ଦରକାର। ଆସନ୍ତୁ, ଜାଣିବା ମୋବାଇଲ୍‌ ଫୋନ୍‌ କିପରି ଚତୁରତାର ସହ ଆଖିକୁ ଖରାପ କରୁଛି।

ରେଟିନା ଉପରେ ପ୍ରଭାବ: ରାତିରେ ଯେତେବେଳ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି, ସେଥିରୁ ବାହାରୁଥିବା ଲାଇଟ୍‌ ସିଧାସଳଖ ଆଖିର ରେଟିନା ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଆପଣଙ୍କ ଆଖି ଜଲ୍‌ଦି ଖରାପ ହେବାର ଆଶଙ୍କା ରହିଛି। ଦେଖିବାର କ୍ଷମତା ଧୀରେ ଧୀରେ କମିବାକୁ ଲାଗେ।

ଡ୍ରାଏନେସ୍‌: ଦିନତମାମ କାମ ମଧ୍ୟରେ ଆଖିକୁ ଟିକେ ବିଶ୍ରାମ ମିଳେ ନାହିଁ। ଏମିତିରେ ରାତିରେ ଶୋଇବା ବଦଳରେ ଯଦି ଅଧିକ ସମୟ ଫୋନ୍‌ ସହ ବିତେ ତେବେ ଏହା ଆଖିକୁ ଡ୍ରାଏ କରି ଦେଇଥାଏ। ଏମିତିରେ ଆଖି କୁଣ୍ଢାଇ ହେବା ଓ ଜ୍ୱଳନ ହୋଇଥାଏ। ଲଗାତର ଏପରି କରିବା ଦ୍ୱାରା ଅଶ୍ରୁଗ୍ରନ୍ଥି ଉପରେ ପ୍ରଭାବ ପଡ଼ିଥାଏ।

ଆଇସାଇଟ୍‌ ଡ୍ୟାମେଜ: ଆପଣ ଜାଣିଛନ୍ତି କି ସ୍ମାର୍ଟଫୋନ୍‌ ଆପଣଙ୍କ ଆଖିର ଉଜ୍ଜ୍ୱଳତାକୁ ନଷ୍ଟ କରିପାରେ। ଆଜ୍ଞା ହଁ, କେତେ ଗବେଷଣାରେ ପ୍ରମାଣ ହୋଇଗଲାଣି ଫୋନ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ଆଖିକୁ ସମ୍ପୂର୍ଣ୍ଣ ରୂପେ ଡ୍ୟାମେଜ କରିପାରେ।

ଆଖିରୁ ପାଣି ବାହାରିବା: କେଇଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ସହ ଜଡ଼ିତ ରହିବା ଯୋଗୁ ଆଖିରୁ ପାଣି ବାହାରିଥାଏ। ଏହା ମୋବାଇଲରୁ ବାହାରୁଥିବା କ୍ଷତିକାରକ ବିକିରଣ ପାଇଁ ହୋଇଥାଏ। ଲଗାତର ମୋବାଇଲ ଦେଖିବା ଦ୍ୱାରା ପଲକ ପଡ଼ିବା ବନ୍ଦ ହୋଇଯାଏ। ଏହାଦ୍ୱାରା ଆଖିକୁ ବିଶ୍ରାମ ମିଳେ ନାହିଁ, ଫଳରେ ଆଖିରୁ ଲୁହ ବାହାରେ।

ଚଷମା ଲଗାଇବା: ମୋବାଇଲ ଫୋନ୍‌ ହୁଏତ ଆପଣଙ୍କୁ ସୋସିଆଲ ସାଇଟ୍‌ରେ ଯୋଡ଼ି ରଖିପାରୁଥାଏ, କିନ୍ତୁ ଏହା ଦ୍ୱାରା ଜଲ୍‌ଦି ଚଷମା ପିନ୍ଧିବାକୁ ପଡ଼ିପାରେ। ଖାଲି ଏତିକି ନୁହେଁ, ଧୀରେ ଧୀରେ ଆଖିର ପାଓ୍ବାର ନମ୍ବର ବଢ଼ିବାକୁ ଲାଗେ। ପତଳା ଚଷମା ମୋଟା ହେବାକୁ ଲାଗେ। କିଛି ବର୍ଷ ପରେ ଆଖିର ଅପରେଶନ କରିବାକୁ ପଡ଼ିପାରେ। ଆଖିର କୋଷ ଶୁଖିବାକୁ ଲାଗେ। ଏହାଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ଦେଖାଯାଇପାରେ।

ଆଖି ଲାଲ୍‌ ହୋଇଯିବା: ଲଗାତର ମୋବାଇଲ ଦେଖିବା ଦ୍ୱାରା ଆଖିର ଧଳାଭାଗ ଲାଲ୍‌ ଦେଖାଯିବା ଏବଂ ଆଖିରେ ଆଇଡ୍ରପ୍‌ ପକାଇଲେ ତାହାର ସମସ୍ୟାର ସମାଧାନ ହୋଇ ନ ପାରେ। ଆଖି ଲାଲ୍‌ ହେବା ସହ ତାହା ନିଦୁଆ ଭଳି ଦେଖାଯାଏ।

ଟେମ୍ପୋରାରି ବ୍ଲାଇଣ୍ଡନେସ୍‌: ଲଗାତର ଆପଣ ମୋବାଇଲ ଦେଖିବା ଦ୍ୱାରା ଅଚାନକ ଯଦି ଅନ୍ୟ କ’ଣ ଦେଖୁଛନ୍ତି ତେବେ ତାହା କିଛି ସମୟ ଲାଗି ବ୍ଲାକ୍‌ ହୋଇଯାଏ। ଆଖି ସାମ୍ନାରେ ସବୁ କିଛି ଅନ୍ଧାର ଦେଖାଯାଏ। ଏହା ଆପଣଙ୍କ ଆଖି ଲାଗି ଭଲ ସଂକେତ ହୋଇ ନ ପାରେ।

ଲେଖା ସ୍ପଷ୍ଟ ନ ଦେଖାଯିବା: ସ୍ମାର୍ଟଫୋନ୍‌ର ଅଧିକ ବ୍ୟବହାର ଯୋଗୁ କିଛି ବି ସ୍ପଷ୍ଟ ଦେଖାଯାଏନି। ଇଂରାଜୀରେ ଏହାକୁ ବ୍ଲାଇଣ୍ଡ ଭିଜନ କୁହାଯାଏ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଖି ଖରାପ ନ ହେଉ ତେବେ ନିମ୍ନରେ ଦିଆହୋଇଥିବା ନିର୍ଦ୍ଦେଶାବଳୀକୁ ପଢ଼ିବା ନିହାତି ଜରୁରୀ।

ଦୂରତା ବଜାୟ ରଖନ୍ତୁ: ମୋବାଇଲଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଆଖିଠାରୁ ଦୂରରୁ ରଖିଲେ ଆଖିକୁ ସେଫ୍‌ ରଖିପାରିବେ। ଯେତେବେଳେ ବି ଫୋନ୍‌ ବ୍ୟବହାର କରୁଛନ୍ତି ଫୋନ୍‌ ଆଖି ପାଖରେ ଯେପରି ନ ରୁହେ ସେଥିପ୍ରତି ଯତ୍ନବାନ୍‌ ହୁଅନ୍ତୁ।

ନୋ ନାଇଟ୍‌ ଓ୍ବାଚ୍‌ : ରାତି ହୋଇଛି ଶୋଇବା ପାଇଁ, ଦିନସାରା କାମ ଓ ରାତିରେ ଫୋନ୍‌ରେ ଚାଟିଂ, ଭିଡିଓ ଓ୍ବାଚିଂ ଆଦି ଆପଣଙ୍କୁ ଥକାଇ ଦେଇଥାଏ। ଆପଣ ନିଜେ ହିଁ ଲିମିଟ୍‌ ରଖନ୍ତୁ ଯେ ଦିନକୁ କେତେ ସମୟ ମୋବାଇଲ ବ୍ୟବହାର କରିବେ। ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଦେଖାଯାଇପାରେ। ଏହାଦ୍ୱାରା ଆଖି ତଳ ଡାର୍କ ସର୍କଲ ସମସ୍ୟା ହୋଇପାରେ।

ଲାଇଟ୍‌ କମ୍‌ କରନ୍ତୁ: ଆରମ୍ଭରୁ ଫୋନ୍‌ ବ୍ୟବହାର ଅଭ୍ୟାସଠାରୁ ରକ୍ଷା ପାଇବା ବହୁତ କଷ୍ଟ। ଧୀରେ ଧୀରେ ଏହି ଅଭ୍ୟାସକୁ ଆପଣ କମାଇପାରିବେ। ଏଥିପାଇଁ ଭଲହେବ ଫୋନ୍‌ର ବ୍ରାଇଟ୍‌ନେସ କମ୍‌ କରି ଦିଅନ୍ତୁ। ଏହାଦ୍ୱାରା ଆଖିର ପ୍ରେସର କମ୍‌ ପଡ଼ିବ।

Related Articles

Back to top button