ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ସାମିଲ ହେବାକୁ ୬ ଦେଶଙ୍କୁ ମିଳିଲାନି ନିମନ୍ତ୍ରଣ

ଲଣ୍ଡନ: ବ୍ରିଟେନରେ ଲୋକେ ସେପ୍ଟେମ୍ବର ୧୯ ତାରିଖ ଦିନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଅନ୍ତିମ ବିଦାୟ ଦେବେ। ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ସାରା ବିଶ୍ୱର ନେତାଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ଋଷିଆ ଓ ଆଫଗାନିସ୍ତାନ ସମେତ ୬ଟି ଦେଶଙ୍କୁ ଏହି କାର୍ଯ୍ୟକ୍ରମରୁ ଦୂରରେ ରଖାଯାଇଛି। ଏପର୍ଯ୍ୟନ୍ତ ଅଧିକାରୀକ ଅତିଥି ସୂଚୀ ଜାରି ହୋଇ ନାହିଁ। ତେବେ ନ୍ୟୁୟର୍କ ପୋଷ୍ଟ ଏପରି କିଛି ଦେଶଙ୍କ ନାମ ଉଲ୍ଲେଖ କରିଛି ଯେଉଁମାନଙ୍କୁ ଏହି ସୂଚୀରେ ସ୍ଥାନ ମିଳି ନାହିଁ। ଏଥିରେ ଋଷିଆ, ବେଲାଋଷ, ଆଫଗାନିସ୍ତାନ, ମ୍ୟାଁମାର, ସିରିୟା ଓ ଭେନଜୁଏଲା ଆଦି ଦେଶଙ୍କ ନାମ ରହିଛି।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ନିକଟରେ କିଙ୍ଗ ଚାର୍ଲସ୍ ତୃତୀୟଙ୍କୁ ରାଜା ହେବାର ଶୁଭକାମନା ଜଣାଇଥିଲେ, ତେବେ ବ୍ରିଟେନ ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ ଋଷିଆକୁ ଆମନ୍ତ୍ରଣ କରି ନାହିଁ। ହେଲେ ସବୁଠୁ ଯାହା ଆଶ୍ଚର୍ଯ୍ୟର କଥା ତାହା ହେଉଛି ଉତ୍ତରକୋରିଆ, ନିକାରଗୁଆ ଓ ଇରାନକୁ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରଣ କରାଯାଇଛି। ଏହି ଦେଶମାନଙ୍କ ରାଜଦୂତଙ୍କୁ ଏହି ନିମନ୍ତ୍ରଣ ଦିଆଯାଇଥିବା ଜଣାପଡିଛି। ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।

ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ବୋଲି ପ୍ରଥମେ ପ୍ରଚାରିତ ହେଉଥିଲା। ତେବେ ପରେ ଏହାକୁ ଗୁଜବ ବୋଲି ସ୍ପଷ୍ଟିକରଣ ଦିଆଯାଇଛି। ବ୍ରିଟେନ ସରକାରଙ୍କ ଅନୁସାରେ ଆମେରିକାର ବର୍ତ୍ତମାନ ରାଷ୍ଟ୍ରପତି ଓ ଫାଷ୍ଟ ଲେଡି ହିଁ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇଛନ୍ତି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଅନୁନ୍ୟ ୭୫୦,୦୦୦ ହଜାର ଲୋକ ଯୋଗଦେବେ।

Related Articles

Back to top button