
ମଙ୍ଗଳରେ ଜମା ହେଲାଣି ୭ ଟନ୍ ବର୍ଜ୍ୟ
ଓ୍ବାଶିଂଟନ: ମଙ୍ଗଳ ଗ୍ରହରେ ମଣିଷ ଜାଗା କିଣିଛି ସତ କିନ୍ତୁ ସେଠାରେ କେବେ ବସତିସ୍ଥାପନ କରିବ ତାହା ଏବେ ଆଶା, ଆଶଙ୍କା ଭିତରେ ରହିଛି। ମଙ୍ଗଳରେ ଜୀବଜଗତ ବାସଉପଯୋଗୀ କି ନୁହେଁ ସେ ନେଇ ବୈଜ୍ଞାନିକମାନଙ୍କ ତର୍ଜମା ଜାରି ରହିଛି। କିନ୍ତୁ ଏ ପରୀକ୍ଷାରେ ମହାକାଶବିଜ୍ଞାନୀମାନେ ମଙ୍ଗଳରେ ଅଳିଆ ଜମାଇବାରେ ଲାଗିଛନ୍ତି। ମଙ୍ଗଳ ଗ୍ରହରେ ୧୫, ୬୯୪ ପାଉଣ୍ଡ ଅର୍ଥାତ୍ ୭୧୧୮.୬ କିଲୋଗ୍ରାମ (୭ ଟନ୍) ଓଜନର ବର୍ଜ୍ୟ ଜମା ହୋଇ ରହିଛି। ଆମେରିକା ଓ୍ବେଷ୍ଟ ଭର୍ଜିନିଆ ୟୁନିଭର୍ସିଟିର କାଗରି କିଲିକଙ୍କ ଦ୍ୱାରା ରୋବୋଟ୍ ଜରିଆରେ କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି।
ଡୋରମାଣ୍ଟ ରକେଟ୍, ମଙ୍ଗଳ ସହ ପିଟି ହୋଇ ଥିବା ମହାକାଶ ଯାନରୁ ବିଭିନ୍ନ ପ୍ରକାର ପରିତ୍ୟକ୍ତ ବର୍ଜ୍ୟବସ୍ତୁ ଏବେ ମଙ୍ଗଳ ଗ୍ରହର ଲୋହିତ ମୃତ୍ତିକାରେ ଜମା ହୋଇ ରହିଛି । ୧୯୭୧ରେ ସୋଭିଏଟ୍ ସଂଘର ମାର୍ସ ଅର୍ବିଟ୍ ୨, ଯାହା ମଙ୍ଗଳରେ କ୍ରାସ୍ ଲାଣ୍ଡିଙ୍ଗ କରିଥିଲା ତା’ଣ ଅବଶେଷ ମଧ୍ୟ ମଙ୍ଗଳରେ ଦେଖିବାକୁ ମିଳିଛି। ଚନ୍ଦ୍ର ମିଶନରେ ନାସା କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ମିଶନ କାରଣରୁ ମଙ୍ଗଳରେ ବର୍ଜ୍ୟବସ୍ତୁ ଜମା ହେବା ଆରମ୍ଭ ହୋଇଛି। ପୃଥିବୀ ପୃଷ୍ଠରେ ବର୍ଜ୍ୟବସ୍ତୁର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି, ଏହାଦ୍ୱାରା ଜୀବଜଗତର ବିକାଶରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇସାରିଛି। ମଣିଷ ବାସ କରୁଥିବା ପୃଥିବୀ ଗ୍ରହର ପାରିପାର୍ଶ୍ୱିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ମଙ୍ଗଳ ଗ୍ରହରେ ମଧ୍ୟ ଭବିଷ୍ୟତରେ ସମାନ ଦୃଶ୍ୟ ଦେଖାଯିବାର ଆଶଙ୍କା କରାଯାଉଛି।
ୟୁରୋପ୍ ସ୍ପେସ୍ ଏଜେନ୍ସିର ମାର୍ସ ୩ ଓ ମାର୍ସ ୬ ସମେତ ୯ଟି ଡୋରମାଣ୍ଟ ସ୍ପେସ୍ କ୍ରାଫ୍ଟ୍ , ବିକିଙ୍ଗ୍ ୧, ବିକିଙ୍ଗ ୨ ଲାଣ୍ଡରର୍ସ, ସୋଜର୍ନର ରୋଭର୍, ସଚିଆପାରେଲି ଲ୍ୟାଣ୍ଡର ସାଙ୍ଗକୁ ପୋନିକ୍ସ ଲ୍ୟାଣ୍ଡର, ସ୍ପିରିଟ ରୋଭର ଏବଂ ଦ ଅପରଚୁନିଟି ରୋଭର ମଙ୍ଗଳ ଗ୍ରହରେ ପଡ଼ି ରହିଛି।