ନିଷ୍ପତ୍ତି ବଦଳାଇଲା ଶ୍ରୀଲଙ୍କା: ଚୀନ ଗୁଇନ୍ଦା ଜାହାଜର ବନ୍ଦରରେ ରହଣିକୁ ଦେଲା ଅନୁମତି

ଚୀନର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ନିଜ ବନ୍ଦରକୁ ଆସିବା ପାଇଁ ଶନିବାର ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଭାରତର ଚିନ୍ତା ପ୍ରକଟ ସତ୍ତ୍ୱେ ଶ୍ରୀଲଙ୍କା ଏହି ଅନୁମତି ଦେଇଛି । ପ୍ରଥମେ ଶ୍ରୀଲଙ୍କା ସରକାର ଚୀନକୁ ପତ୍ର ଲେଖି ନିଜ ଜାହାଜ ନ ପଠାଇବା ପାଇଁ ନିବେଦନ କରିଥିଲା । କିନ୍ତୁ ଏବେ ଏଥିରେ ପରିବର୍ତ୍ତନ କରି ପୁଣି ଥରେ ଅନୁମତି ଦେଇଛି ।

ଶ୍ରୀଲଙ୍କା ହାରବର ମାଷ୍ଟର ନିର୍ମଳ ପି.ସିଲଭା କହିଛନ୍ତି, ‘ଚୀନ ଜାବାଜକୁ ଅନୁମତି ଦେବା ପାଇଁ ବିଦେଶ ମନ୍ତ୍ରଣାଳୟ ପକ୍ଷୁ ଅନୁମତି ଦିଆଯାଇଛି । ଆସନ୍ତା ଅଗଷ୍ଟ ୧୬ରୁ ୨୨ ଯାଏଁ ହମ୍ୱନଟୋଟା ବନ୍ଦରରେ ରହିବା ପାଇଁ ଚୀନକୁ ଜାହାଜକୁ ଅନୁମତି ମିଳିଛି ‘।

ଏହା ପୂର୍ବରୁ ଅଗଷ୍ଟ ୮ରେ ନିଜର ଗୁପ୍ତଚର ଜାହାଜ ୟୁଆନ ୱାଙ୍ଗ ୫କୁ ଆଗକୁ ନ ବଢାଇବା ପାଇଁ ଶ୍ରୀଲଙ୍କା ସରକାର ଚୀନକୁ ଅନୁରୋଧ କରିଥିଲେ। ଶ୍ରୀଲଙ୍କ ଏହି ପଦକ୍ଷେପ ପରେ କଲୋମ୍ୱ ସ୍ଥିତ ଚୀନ ଦୂତାବାସର ବରିଷ୍ଠ ଅଧିକାରୀମାନେ ଜରୁରୀ ବୈଠକ ଡକାଇଥିଲେ। ଏହାସହ ଭାରତର ଚାପ ଯୋଗୁଁ ଶ୍ରୀଲଙ୍କ ଏପରି କରିଥିବା ଚୀନ ବିଦେଶ ମନ୍ତ୍ରଣାଳୟ ଅଭିଯୋଗ କରିଥିଲା। ଏହାସହ ଏପରି ନ କରିବାକୁ ଚୀନ ବିଦେଶ ମନ୍ତ୍ରଣାଳୟ କହିଥିଲା। ଏହାପରେ ଶୁକ୍ରବାର ଭାରତ ସରକାର ଚୀନର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ।

ଚୀନର ଏହି ଜାହାଜ ଶ୍ରୀଲଙ୍କାରେ ପହଞ୍ଚିବା ଭାରତର ସୁରକ୍ଷାକୁ ବଡ଼ ବିପଦ ବୋଲି କୁହାଯାଉଛି । ୟୁଆନ ୱାଙ୍ଗ ୫ ଚୀନର ଅତ୍ୟନ୍ତ ଶକ୍ତିଶାଳୀ ଗୁଇନ୍ଦା ଜାହାଜ । ଏହା ସ୍ପେସ ଏବଂ ସାଟେଲାଇଟ ଟ୍ରାକିଂ ସହ ଇଣ୍ଟରକଣ୍ଟିନେଣ୍ଟାଲ ବାଲେଷ୍ଟିକ ମିଶାଇଲ ଲଞ୍ଚର ମଧ୍ୟ ସନ୍ଧାନ କରିପାରିବ । ଏହା ୟୁଆନ ୱାଙ୍ଗ ସିରିଜର ତୃତୀୟ ପିଢିର ଟ୍ରାକିଂ ଜାହାଜ । ୨୦୦୭ ସେପ୍ଟେମ୍ୱର ୨୭ରେ ଏହାକୁ ସେବାରେ ସାମିଲ କରାଯାଇଥିଲା । ଏହି ଜାହାଜରେ ଅତ୍ୟନ୍ତ ଶକ୍ତିଶାଳୀ ଆଣ୍ଟିନା ଲାଗିଛି, ଯାହା ଦୀର୍ଘ ଦୂର ଯାଏଁ ନଜର ରଖିବାରେ ଏହାକୁ ସହାୟତା କରିଥାଏ । ଆରବ ସାଗରରେ ଗୁଇନ୍ଦାଗିରି କରିବା ଭାରତ ଏବଂ ଆମେରିକାର ଚିନ୍ତା ବଢାଇପାରେ। ଭାରତ ମହାସାଗରରେ ହିଁ ଆମେରିକାର ନୌସେନା ଶିବିର ଡିୟୋଗା ଗାର୍ସିଆ ରହିଛି।

Related Articles

Back to top button