୧୦୭ କିଲୋ ଓଜନ କମାଇଲେ ମହିଳା

ଓଜନ କମ୍‌ କରିବା ପାଇଁ ସ୍ୱତନ୍ତ୍ର ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ  ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇଥାନ୍ତି । ପ୍ରକ୍ରିୟାକୃତ ଖାଦ୍ୟ,  ଅସ୍ୱାସ୍ଥ୍ୟକର ଚର୍ବିଯୁକ୍ତ ଖାଦ୍ୟ, ଜଙ୍କ୍‌ ଫୁଡ୍‌, କୃତ୍ରିମ ମିଠାଯୁକ୍ତ ଖାଦ୍ୟ ବଦଳରେ  ଫଳ, ପରିବା, ଶସ୍ୟ ଆଦି ଖାଇବା ଉଚିତ୍‌ । ଏହି କ୍ରମରେ ଜଣେ ମହିଳା  ଏବେ ନିଜର ଓଜନ ହ୍ରାସକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ୧୬୬ କିଲୋ ଓଜନର  ଏହି ମହିଳା ପ୍ରାୟ ୧୦୭ କିଲୋ ଓଜନ କମାଇଛନ୍ତି । ଏବେ ତାଙ୍କ ଓଜନ ୫୯- ୬୦ କିଲୋ । ଏଥିପାଇଁ ସେ ପୂର୍ବାପେକ୍ଷା ଅଧିକ ଖୁସି ଅଛନ୍ତି।  ସେ ହେଉଛନ୍ତି ୫୨ ବର୍ଷୀୟା ଡନ୍‌ ଲାମ୍ବର୍ଟ।

୧୬୬ କିଲୋ ଓଜନର ଲାମ୍ବର୍ଟ ପୂର୍ବରୁ ଅତ୍ୟଧିକ ମାତ୍ରାରେ ଚିପ୍ସ ଓ ଚକ୍‌ଲେଟ ବାର୍‌ ଖାଉଥିଲେ। ଏଥିପାଇଁ  ତାଙ୍କର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ଶ୍ୱାସ ରୋଗ, ଗୋଡ଼  ଓ ଫୁସ୍‌ଫୁସ୍‌ରେ ରକ୍ତ ଜମିବା, ଆଇବିଏସ୍‌ ସିଣ୍ଡ୍ରୋମ୍‌ ଓ ଡାଏବର୍ଟିକୁଲିଟିସ୍‌  (ଖରାପ ପାଚନ ସ୍ଥିତି) ଭଳି ରୋଗରେ ସେ ଆକ୍ରାନ୍ତ ହେଲେ । ଏହା ପୂର୍ବରୁ  ସେ ଅଷ୍ଟିଓଆର୍ଥରାଇଟିସ୍‌ ଓ ଲିପୋଏଡେମା ନାମକ ରୋଗର ମଧ୍ୟ ସମ୍ମୁଖୀନ  ହୋଇଥିଲେ । ଫଳରେ ତାଙ୍କ ଗୋଡ଼ରେ ଫ୍ୟାଟ୍‌ ସେଲ୍‌ ସୃଷ୍ଟି ହେବାରେ ଲାଗିଥିଲା । ଏହି କାରଣ ଲାଗି ନିଜ ଜୀବନଶୈଳୀ ବଦଳାଇବାକୁ ଲାମ୍ବର୍ଟ  ନିଷ୍ପତ୍ତି ନେଲେ । ଲାମ୍ବର୍ଟ କହନ୍ତି, ମୁଁ କଦାପି ଅନୁଭବ କରୁନଥିଲି ଯେ  ମୁଁ ବହୁତ ଖାଉଛି । ସେଥିପାଇଁ ମୋର ଓଜନ ବଢ଼ିଚାଲିଲା । ଶ୍ୱାସ ରୋଗ  ନିୟନ୍ତ୍ରଣ ବାହାରକୁ ଚାଲିଗଲା । ମୁଁ ଉଠି ପାରୁନଥିଲି । ଦିନେ ହୃଦୟଙ୍ଗମ  କଲି ଯେ ଓଜନ ନ କମାଇଲେ ଏ ସବୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଠିକ୍‌  ହେବ ନାହିଁ । ଯେତେବେଳେ ମୋର ଅବସ୍ଥା ଖରାପ ହେଲା, ମୁଁ ଜଣେ  ସର୍ଜନଙ୍କୁ ଭେଟିଲି। ସେ କହିଲେ ଯେ ମୋ ଶରୀରରେ ପିବିସି ଆଣ୍ଟିବଡି  ଅଛି, ଯାହା ଏକ ପ୍ରକାର ଯକୃତ ରୋଗର ଆଶଙ୍କା ସୃଷ୍ଟି କରୁଛି । ଏହା  ଦ୍ୱାରା ଯକୃତ ଅଚଳ ହୋଇପାରେ ।   ମୁଁ ଅଧିକ ଦିନ ବଞ୍ଚିବାକୁ ଚାହୁଁଥିଲି ।

ଏହା ପରେ  ମୁଁ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପେଜ୍‌ ଦେଖିଲି ।  ସେଥିରୁ ନିଜର ଖାଦ୍ୟପେୟ ତାଲିକା ପ୍ରସ୍ତୁତ  କଲି । ଧୀରେ ଧୀରେ ମୋର ଓଜନ କମିବାକୁ  ଲାଗିଲା । ମୋର ଭୋକ ବି ନିୟନ୍ତ୍ରଣକୁ  ଚାଲିଆସିଲା । ମୁଁ ପୂର୍ଣ୍ଣ ସଚ୍ଚୋଟତାର ସହ  ଖାଦ୍ୟପେୟ ତାଲିକା ଅନୁସାରେ କାମ  କଲି, ସେଥିପାଇଁ ମୋତେ ବହୁତ ଭଲ  ଫଳ ମିଳିଲା । ରାତିରେ ମୁଁ ଗ୍ରିଲ୍‌ଡ ଖାଦ୍ୟ  ଖାଉଛି । ସର୍ବପ୍ରଥମେ ମୁଁ ୫ କିଲୋ  ଓଜନ କମାଇଲି । ଏହା ପରେ ମୋର  ଆତ୍ମବିଶ୍ୱାସ ବଢ଼ିଲା ।’  ଓଜନ କମାଇବା ପରେ ଲାମ୍ବର୍ଟ  ଏବେ ନିୟମିତ ଜିମ୍‌ ଯାଉଛନ୍ତି ଏବଂ  ବ୍ୟାୟାମ କରୁଛନ୍ତି। ତାଙ୍କର ଅନେକ  ସ୍ୱାସ୍ଥ୍ୟ ସମସ୍ୟା ଏବେ ସମ୍ପୂର୍ଣ୍ଣ ଦୂର  ହୋଇଯାଇଛି।

Related Articles

Back to top button