ପରସ୍ପରକୁ ଅଭିବାଦନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଜୋ ବାଇଡେନ

ବ୍ରିଟେନ: ଆଜି ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଅନ୍ତିମ ସଂସ୍କାର ହେବ। ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ବ୍ରିଟେନରେ ପହଞ୍ଚିଥିଲେ। ବ୍ରିଟେନର ବକିଙ୍ଗହମ୍ ପ୍ୟାଲେସରେ ଅନ୍ତିମ ସଂସ୍କାର ପୂର୍ବରୁ ଆୟୋଜିତ ଏକ ଶୋକସଭାର ଆୟୋଜନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ମୁର୍ମୁ ରାଜା କିଙ୍ଗ ଚାର୍ଲ୍ସ ତୃତୀୟଙ୍କୁ ଭେଟିଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାରରେ ରାଷ୍ଟ୍ରପତି ମୁର୍ମୁ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଇଛନ୍ତି। ସେ ରବିବାର ଲଣ୍ଡନରେ ଭାରତ ସରକାରଙ୍କ ତରଫରୁ ଏକ ସମବେଦନା ବହିରେ ନିଜର ଉପସ୍ଥିତି ବାବଦରେ ଉଲ୍ଲେଖ କରିଥିଲେ।

ରବିବାର ଆୟୋଜିତ ସଭାରେ ରାଷ୍ଟ୍ରପତି ମୁର୍ମୁ ବିଶ୍ବର ଅନେକ ନେତାଙ୍କୁ ଭେଟିଥିଲେ। ଏଥିମଧ୍ୟରେ ଆମେରିକା ରାଷ୍ଚ୍ରପତି ଜୋ ବାଇଡେନ ଅନ୍ୟତମ। ଦ୍ରୌପଦୀ ମୁର୍ମୁ ରାଷ୍ଚ୍ରପତି ଆସନରେ ବସିବା ପରେ ଜୋ ବାଇଡେନଙ୍କ ସହ ଥିଲା ପ୍ରଥମ ସାକ୍ଷାତ। ଭେଟଘାଟ ସମୟରେ ଭାରତୀୟ ସଂସ୍କତି ଅନୁସାରେ ହାତଯୋଡି ପରସ୍ପରକୁ ଅଭିବାଦନ ଜଣାଇଥିଲେ। ପରେ ପରସ୍ପର କିଛି ସମୟ ପାଇଁ କଥା ହୋଇଥିଲେ।

ଏଲିଜାବେଥ୍ ଦ୍ୱିତୀୟ ସେପ୍ଟେମ୍ବର ୮ ରେ ୯୬ ବର୍ଷ ବୟସରେ ସ୍କଟଲ୍ୟାଣ୍ଡରେ ମୃତ୍ୟୁ ବରଣ କରିଥିଲେ। ରବିବାର ମୁର୍ମୁ ୱେଷ୍ଟମିନିଷ୍ଟର ହଲରେ ସ୍ୱର୍ଗତ ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଯେଉଁଠାରେ ଏଲିଜାବେଥଙ୍କ ମୃତଦେହ ରଖାଯାଇଥିଲା।

ରାଣୀଙ୍କ ଅନ୍ତିମ ସଂସ୍କାରରେ ସାରା ବିଶ୍ୱରୁ ରାଜ ପରିବାରର ସଦସ୍ୟଙ୍କ ସମେତ ପ୍ରାୟ ୫୦୦ ବିଶ୍ୱ ନେତା ଯୋଗଦେଉଥିବାର ସୂଚନା ରହିଛି। ୱେଷ୍ଟମିନିଷ୍ଟର ଆବେରେ ଆଜି ଏହି ଅନ୍ତିମ ସଂସ୍କାର କରାଯିବ । ଯେଉଁଠାରେ ପ୍ରାୟ  ୨ ହଜାର ଲୋକ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।

Related Articles

Back to top button