ଚୀନ୍‌ରେ ପ୍ରଚଣ୍ଡ ରୌଦ୍ର ତାପ: ଶୁଖିଲା ଘାସରେ ନିଆଁ ଲାଗି ଜଳୁଛି ଜଙ୍ଗଲ

ଚୋଙ୍ଗକିଙ୍ଗ: ଦକ୍ଷୀଣ-ପଶ୍ଚିମ ଚୀନ୍‌ରେ ଗ୍ରୀଷ୍ମ ଏବେ ତାର ରୌଦ୍ର ରୂପ ଦେଖାଉଛି। ଫଳରେ ଜଳ ଉତ୍ସ ସବୁ ଶୁଖି ମରୁଡି ଭଳି ପରିସ୍ଥିତି ଉପୁଜିଥିବା ବେଳେ ଶୁଖିଲା ଘାସରେ ନିଆଁ ଲାଗି ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ଜନବସତୀ ଆଖପାଖ ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ୧୫ଶହରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ଅତ୍ୟଧିକ ଗ୍ରୀଷ୍ମରେ ବିଦ୍ୟୁତ ଚାହିଦା ବଢୁଥିବା  ବେଳେ ବିଦ୍ୟୁତ କାଟ ଅବଧି ସମ୍ପ୍ରସାରଣ ଲୋକଙ୍କ ଜୀବନ ଦୁର୍ବିସହ  କରିଛି।

ସରକାରୀ ସମ୍ବାଦ ସରବରାହ ସଂସ୍ଥା ସିସିଟିଭି ଖବର ଅନୁସାରେ ବିଦ୍ୟୁତ ଚାହିଦା ହ୍ରାସ କରିବାକୁ ଚୋଙ୍ଗକିଙ୍ଗ ମହାନଗରର କିଛି ମଲ ବନ୍ଦ କରିଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରେ ଜଳ ଉତ୍ସ ଶୁଖି  ଫସଲ ଉତ୍ପାଦନ ପ୍ରଭାବିତ ହୋଇଛି। ଦକ୍ଷିଣ-ପଶ୍ଚିମ ଚୀନ୍‌ର ପ୍ରମୁଖ ନଦୀ ୟାଙ୍ଗତଜେର ଜଳସ୍ତର ହ୍ରାସ ଯୋଗୁ ଜଳମାର୍ଗରେ ଯାତାୟାତ ପ୍ରଭାବିତ ହୋଇଛି। ଏହା ଛଡା ଜଳ ବିଦ୍ୟୁତ ପ୍ରକଳ୍ପରୁ ପାଣି ସୁଖିବା ସହ ଉତ୍ପାଦନ ମଧ୍ୟ ହ୍ରାସ ହୋଇଛି।

ଉପୁଜିଥିବା ପରିସ୍ଥିତିରେ ସରକାର ବର୍ଷା କରାଇବାକୁ ଉଦ୍ୟମ କରୁଛନ୍ତି। ଯେପରି ଶରତ ଋତୁରେ ଉତ୍ପାଦିତ ହେବାକୁ ଥିବା ଫସଲ ନଷ୍ଟ ନ ହୁଏ ସେଥିଲାଗି ବାଦଲରେ ରୟାସନ ସିଞ୍ଚନ କରି ବର୍ଷା ଲାଗି ଉଦ୍ୟମ  ଜାରି ରହିଛି। ସିଚୁଆନ ପ୍ରାନ୍ତରେ ଘନଘନ ବିଜୁଳି କାଟ ହେଉଛି। ବିଦ୍ୟୁତ କାଟ୍ ନେଇ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ କାଟ୍ ଅବଧିକୁ ବଢାଇ ଦିଆଯାଇଛି।

ସେପଟେ ଚୋଙ୍ଗକିଙ୍ଗରେ ଜଙ୍ଗଲ ଜଳୁଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ୫ ହଜାରରୁ ଅଧିକ ସାମରିକ ଓ ବେସାମରିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହା ବାଦେ ଜଳୁଥିବା ଜଙ୍ଗଲ ଉପରେ ହେଲିକପ୍ଟରରୁ ପାଣି ବର୍ଷା କରାଯାଉଛି। ପ୍ରଭାବିତ ଅଞ୍ଚଳରୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚଳାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୫ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଇପାରିଥିବା କୁହାଯାଇଛି।

Related Articles

Back to top button