
ଭାରତ ସରକାର ଇରାନ ଏବଂ ଇସ୍ରାଏଲ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛନ୍ତି
ଭାରତ ସରକାର ଇରାନ ଏବଂ ଇସ୍ରାଏଲ ସମ୍ବନ୍ଧରେ ଏକ ଟ୍ରାଭେଲ ଆଡ଼ଭାଇଜାରୀ ଜାରି କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏହି ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଭାରତୀୟଙ୍କୁ ଇରାନ କିମ୍ବା ଇସ୍ରାଏଲ ନ ଯିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଇସ୍ରାଏଲ କିମ୍ବା ଇରାନରେ ରହୁଥିବା ଲୋକମାନଙ୍କୁ ସେଠାରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଏବଂ ନିଜକୁ ପଞ୍ଜୀକୃତ କରିବାକୁ ଅନୁରୋଧ କରାଯାଇଛି ।ଆପଣଙ୍କର ସୁରକ୍ଷା ବିଷୟରେ ଅତ୍ୟଧିକ ସତର୍କ ରୁହନ୍ତୁ ଏବଂ ଆପଣଙ୍କର କାର୍ଯ୍ୟକଳାପକୁ ସୀମିତ କରିବାକୁ ଚେଷ୍ଟା କରନ୍ତୁ । ବାସ୍ତବରେ, ଦଶନ୍ଧି ଧରି ଇରାନ ଏବଂ ଇସ୍ରାଏଲ୍ ମଧ୍ୟ ସମ୍ପର୍କ ଭଲ ରହି ନାହିଁ । ଆଉ ଏହାରି ଭିତରେ ଦୂତାବାସ ଉପରେ ଆକ୍ରମଣ ପରେ ଇରାନ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ବିଶ୍ୱାସ କରାଯାଉଛି ।
ଏପ୍ରିଲ ୧ ରେ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ର କମାଣ୍ଡର ଏବଂ ଏହାର ଅନେକ ସଦସ୍ୟ ପ୍ରାଣ ହରାଇଥିଲେ । ଯାହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଶିଖରରେ ପହଞ୍ଚିଛି । ବିଦେଶୀ ଗଣମାଧ୍ୟମ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ ଇରାନ ପ୍ରଥମେ ଇସ୍ରାଏଲର ସୀମାକୁ ଟାର୍ଗେଟ କରିପାରେ । ବର୍ତ୍ତମାନ ଉଭୟ ଦେଶର ସୈନ୍ୟବାହିନୀ ସମ୍ପୂର୍ଣ୍ଣ ତୟାର ମୋଡରେ ଅଛନ୍ତି । ଇରାନରୁ ଆକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟ ସତର୍କ ରହିଛି ।