ଏକ ସାଙ୍ଗରେ ଦୁଇଟି ଚାକିରୀ କରିପାରିବେ ଇନଫୋସିସ୍‌ କର୍ମଚାରୀ

ନୂଆଦିଲ୍ଲୀ: ମୁନଲାଇଟିଂକୁ ନେଇ ଚର୍ଚ୍ଚା ଲାଗିରହିଥିବାବେଳେ, ଇନଫୋସିସ ଏହାର କର୍ମଚାରୀଙ୍କୁ କମ୍ପାନୀରେ ଚାକିରି କରିବା ସହ ଅନ୍ୟ ଚାକିରି କରିବାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଅବଶ୍ୟ ଏଥିପାଇଁ ଷ୍ଟାଫ୍‌ଙ୍କୁ ମ୍ୟାନେଜରଙ୍କ ଠାରୁ ଅନୁମତି ନେବାକୁ ହେବ। କିନ୍ତୁ ଏଥିପାଇଁ ଇନଫୋସିସ୍ କିଛି ସର୍ତ୍ତ ମଧ୍ୟ ରଖିଛି। କମ୍ପାନୀ କହିଛି ଯେ ଏହାର କର୍ମଚାରୀ କେବଳ Gig Jobs କରିପାରିବେ। ଅନ୍ୟଟି ହେଉଛି କର୍ମଚାରୀ ଯାହା ବି କାମ କରିବେ ତାହାର ଇନଫୋସିସ୍ କିମ୍ବା ଏହାର କ୍ଲାଏଣ୍ଟଙ୍କ ସହ କୌଣସି ସଂପର୍କ ନଥିବା ଦରକାର। ଇନଫୋସିସ ଏହାର କର୍ମଚାରୀଙ୍କ ସହ ଏକ ଅନ୍ତରୀଣ ବୈଠକରେ ଗିଗ ଜବ୍ସ କଥା କହିଛି। ଏହା ସହ ଏହା ମଧ୍ୟ କୁହାଯାଇଛି ଯେ ଲୋକେ କିପରି ଗିଗ୍ସ ଜବ୍ସ ପାଇପାରିବେ।

ଅବଶ୍ୟ କମ୍ପାନୀ ଏହା ସ୍ପଷ୍ଟ କରିନାହିଁ ଯେ କମ୍ପାନୀ ଏହି ଗିଗ ଜବ୍ସକୁ ମୁନଲାଇଟିଂ ଶ୍ରେଣୀରେ ରଖିବ କି’ ନାହିଁ। କମ୍ପାନୀ ଏହି ପଦକ୍ଷେପ ସେତେବେଳେ ଉଠାଇଛି ଯେତେବେଳେ ବିଶ୍ବରେ ମୁନଲାଇଟିଂ ମାମଲା ଗରମ ରହିଛି। ମୁନଲାଇଟିଂକୁ ନେଇ ନିକଟରେ ଅନେକ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲେ। ଇନଫୋସିସ୍ ନିଜେ ମଧ୍ୟ ମୁନଲାଇଟିଂ ଯୋଗୁଁ କର୍ମଚାରୀଙ୍କୁ ଛଟେଇ କରିଥିଲା। ସପେଟେ ବିଶ୍ଲେଷକଙ୍କ କହିବା ଅନୁଯାୟୀ ଏହି ପଦକ୍ଷେପ ଦ୍ବାରା କମ୍ପାନୀକୁ ଫାଇଦା ହେବ। ଗିଗ ଜବ୍‌ ଦ୍ବାରା କର୍ମଚାରୀଙ୍କୁ ଆୟର ଅନ୍ୟ ଉପାୟ ମିଳିବ। ଏହାସହ ସେମାନେ ଇନଫୋସିସରେ କାମ କରି ନିଜର ଟେକ୍ନିକାଲ୍ କାମର ଇଚ୍ଛା ମଧ୍ୟ ପୂରଣ କରିପାରିବେ। ଏହାଦ୍ବାରା ଇନଫୋସିସକୁ ଅନେକ ଚାଲେଞ୍ଜରୁ ମୁକାବିଲା ପାଇଁ ସାହାଯ୍ୟ ହେବ।

ଗିଗ୍ ଜବ୍ସ ହେଉଛି ସେହି କାମ ଯାହା ଅଧିକ ସମୟ ପାଇଁ ହୋଇନଥାଏ। ଯେମିତିକି ରାଇଡ ସେୟାରିଂ । କାହା ଘରର ଇଣ୍ଟିରିୟର ଡିଜାଇନ କରିବା, କୋଚିଂ ଦେବା, ଫିଟନେସ ଟ୍ରେନିଂ ଦେବା, ଏଭଳି। ପ୍ରଥମେ ଏହି ଗିଗ୍ ଶବ୍ଦ ଗାୟକଙ୍କ କ୍ଷେତ୍ରରେ ବ୍ୟବହୃତ ହେଉଥିଲା। କାରଣ ସେମାନେ ବିଭିନ୍ନ ସ୍ଥାନକୁ ଯାଇ କଳା ପ୍ରଦର୍ଶନ କରୁଥିଲେ। ଯାହ କିଛି ଘଣ୍ଟାର କାମଥିଲା।

Related Articles

Back to top button