ଜୁନ୍‌‌ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର: ଜୁନ୍‌‌ ମାସରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ସାରା ଦେଶରେ ମୌସୁମୀ ପ୍ରଥମ ମାସରେ ନିଅଣ୍ଟିଆ ବର୍ଷା ହେବାକୁ ଥିବା ବେଳେ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ କମ୍‌‌ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ବିଭାଗ ପକ୍ଷରୁ ମୌସୁମୀ ଆକଳନ କରି କୁହାଯାଇଛି ଯେ ଦେଶରେ ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ। ଚଳିତ ବର୍ଷ ଜୁନ୍‌‌ରୁ ସେପ୍ଟେମ୍ୱର ମଧ୍ୟରେ ଦେଶରେ ୯୬ ପ୍ରତିଶତ ବର୍ଷା ହେବ ବୋଲି କୁହାଯାଇଛି। ମାତ୍ର ପ୍ରଥମ ମାସ ଅର୍ଥାତ ଜୁନ୍‌‌ରେ ବର୍ଷା ସ୍ୱାଭାବିକଠାରୁ କମ୍‌‌ ହେବ। ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍‌‌ ୪ରେ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି। ସ୍ୱାଭାବିକ ତୁଳନାରେ ଏଥର ମୌସୁମୀ ସାମାନ୍ୟ ବିଳମ୍ୱରେ ଆସିବାକୁ ଥିବା ବେଳେ ଏହା ଉପରେ ଏଲ୍‌ନିନୋର ପ୍ରଭାବ ପଡ଼ିବାର ମଧ୍ୟ ଆଶଙ୍କା ରହିଛି। ତେଣୁ ଜୁନ୍‌‌ ମାସରେ ଓଡ଼ିଶା ସମେତ ସମଗ୍ର ଦେଶରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛିା

କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶା ଛୁଇଁଥାଏ। ତେଣୁ ରଜ ବେଳକୁ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ଅନ୍ୟପଟେ ଦକ୍ଷିଣ ଭାରତର ପାର୍ବତ୍ୟାଞ୍ଚଳ, ଉତ୍ତର ଭାରତର କିଛି ଅଂଶ ଓ ଉତ୍ତରପୂର୍ବ ଭାରତର କିଛି ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ। ଏଲ୍‌ନିନୋ ପ୍ରଭାବ ସତ୍ତ୍ବେ ଏହି ଅଞ୍ଚଳରେ ୯୪ ପ୍ରତିଶତରୁ ୧୦୬ ପ୍ରତିଶତ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଉତ୍ତର ପଶ୍ଚିମ ଭାରତରେ ୯୨ ପ୍ରତିଶତରୁ କମ ବର୍ଷାର ଆକଳନ କରାଯାଇଥିବା ବେଳେ ଭାରତର ଅନ୍ୟ ୩ ପ୍ରାନ୍ତରେ ୯୪- ୧୦୪ ପ୍ରତିଶତ ମଧ୍ୟରେ ବର୍ଷା ହେବ। ଅନ୍ୟପଟେ ଜୁନରେ ଚଳିତ ବର୍ଷ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଜାରି ରହିବ।

Related Articles

Back to top button