ଦୁଷ୍କର୍ମ ମାମଲାରେ DNA ଟେଷ୍ଟ ରିପୋର୍ଟ ନିର୍ଣ୍ଣାୟକ ପ୍ରମାଣ ନୁହେଁ

ଦୁଷ୍କର୍ମ ମାମଲାରେ DNA ଟେଷ୍ଟ ରିପୋର୍ଟକୁ ନିର୍ଣ୍ଣାୟକ ପ୍ରମାଣ ଭାବେ ନିଆଯାଇ ପାରିବ ନାହିଁ । ଏହାକୁ କେବଳ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଭାବେ ନିଆଯାଇ ପାରିବ । ଏକ ଦୁଷ୍କର୍ମ ମାମଲାର ଶୁଣାଣି କରୁଥିବା ବେଳେ ଏଭଳି କହିଛନ୍ତି ମୁମ୍ବାଇର ଏକ ଅଦାଲତ । ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କି ସ୍ବତନ୍ତ୍ର ପୋସ୍କୋ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନାବାଳିକାଙ୍କ ଗର୍ଭରେ ବଢୁଥିବା ଭ୍ରୁଣ ଦୁଇ ଅଭିଯୁକ୍ତଙ୍କ DNA ସହିତ ମିଶୁନଥିବା ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଥିଲା । ଯାହାକୁ ନେଇ ମାମଲା ଆହୁରି ଗମ୍ଭୀର ହୋଇଯାଇଥିଲା । ରିପୋର୍ଟ ମୁତାବକ, ପୋସ୍କୋ ଅଦାଲତଙ୍କ ସ୍ବତନ୍ତ୍ର ବିଚାରପତି ସୀମା ଯାଦବ ରାୟରେ କହିଛନ୍ତି କି, ‘DNA ଟେଷ୍ଟରେ ଅଭିଯୁକ୍ତ ଦୁଇ ଜଣ ନାବାଳିକା ପେଟରେ ବଢୁଥିବା ଭ୍ରୁଣର ଜୈବିକ ପିତା ବୋଲି ପ୍ରମାଣିତ କରିପାରିନି ସତ କିନ୍ତୁ ଏହା କୁହାଯାଇ ପାରିବନି ଯେ ଅଭିଯୁକ୍ତ ଦୁଇ ଜଣ ଯୌନ ଶୋଷଣ କରିନାହାନ୍ତି’ ।

ବିଚାରପତି କହିଛନ୍ତି, ଏହି ମାମଲାର ପୀଡିତାଙ୍କ ବୟାନ ହିଁ ସବୁକିଛି ପ୍ରମାଣିତ କରୁଛି । ତେଣୁ ପୀଡିତାଙ୍କ ଦୃଢ ବୟାନ ହିଁ ଅଭିଯୁକ୍ତଙ୍କ ବିରୁଦ୍ଧରେ ରାୟ ଶୁଣାଇବା ପାଇଁ ପର୍ଯ୍ୟାପ୍ତ । ପୀଡିତାଙ୍କ ନାବାଳିକା ନିଜ ବୟାନରେ କହିଥିଲେ କି, ସେ କାମ କରୁଥିବା ଦୋକାନରେ ଜଣେ କର୍ମଚାରୀଙ୍କ ସହିତ ଚିହ୍ନାଜଣା ହୋଇଥିଲା । ଯିଏ କି ତାଙ୍କର ମାଆଙ୍କ ଜଣେ ବାନ୍ଧବୀଙ୍କ ସ୍ବାମୀ । ୩୯ ବର୍ଷୀୟ ଅଭିଯୁକ୍ତ ଜଣକ ବାରମ୍ବାର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ୧୬ ବର୍ଷୀୟା ନାବାଳିକାଙ୍କ ଅଭିଯୋଗ କ୍ରମେ ଅଦାଲତ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟଙ୍କ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି ।

ବିଚାରପତି କହିଛନ୍ତି, ଏହି ଘଟଣା ପୀଡିତାଙ୍କ ମାନସିକ ଚାପ ବଢାଇ ଦେଇଛି । ତାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ତେଣୁ ଯେତେ ଟଙ୍କାର କ୍ଷତିପୂରଣ ଦେଲେ ବି ତାହା ପର୍ଯ୍ୟାପ୍ତ ହେବନି । କିନ୍ତୁ ସାମାନ୍ୟ ସାନ୍ତ୍ବନା ମିଳିପାରିବ । ତୁରନ୍ତ ନାବାଳିକାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ସ୍ବତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button