ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର

ଆସନ୍ତାକାଲି ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ଏହା ପୂର୍ବରୁ ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍‌କୁ ବ୍ୟାନ୍‌ କରିଛନ୍ତି କେନ୍ଦ୍ର ସରକାର। ମହାଦେବ ଆପ୍ ସମେତ ୨୨ଟି ମୋବାଇଲ୍ ଆପ୍ଲିକେସନ ଓ ୱେବସାଇଟ ଉପରେ ପ୍ରତିବନ୍ଧକ ଲଗାଇଲେ କେନ୍ଦ୍ର ସରକାର । ଇଡିର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ପୂର୍ବରୁ ଏହି ମହାଦେବ୍ ବେଟିଂ ଆପ୍ ମାମଲାରେ ମୁମ୍ବାଇ, କୋଲକାତା, ଭୋପାଳ ସମେତ ୩୯ଟି ସ୍ଥାନରେ ଚଢ଼ାଉ କରି ୪ଶହ କୋଟିରୁ ଅଧିକ ଟଙ୍କାର ସଂପତ୍ତି ଜବତ କରିଛି ଇଡି। ଏଥିସହ ବହୁ ବଲିଉଡ୍ ସେଲିବ୍ରିଟିଙ୍କୁ ବି ପଚରାଉଚରା କରାଯାଇଛି । ଏହି ବେଟିଂ ଆପ୍ ସଂପର୍କିତ ମାମଲାରେ ହରଡ଼ଘଣାରେ ପଡ଼ିଛି ଛତିଶଗଡ଼ର ଭୂପେଶ ବଘେଲ ସରକାର । ନିଜ ଦଳର ପ୍ରଚାର ପାଇଁ ବେଟିଂ ଆପ୍ ଅପରେଟରଙ୍କଠାରୁ ୫ଶହ କୋଟିରୁ ଅଧିକ ଟଙ୍କାର ବେଆଇନ ଫଣ୍ଡିଂ ମିଳିଥିବା ଅଭିଯୋଗ ହୋଇଛି।

ବର୍ତ୍ତମାନ ମହାଦେବ ବେଟିଂ ଆପ୍ ମାମଲାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ତଦନ୍ତ କରୁଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି। ଇଡି ଏହା ମଧ୍ୟ କହିଛି ଯେ ଆପ୍ ପ୍ରମୋଟର୍ସ ସିଏମଙ୍କୁ ୫୦୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ହେଲେ ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି ବଘେଲ। ତେବେ ଆସନ୍ତାକାଲି ନିର୍ବାଚନ ହେବାକୁ ଥିବା ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନରେ ମତଦାନ କରିବେ ଭୋଟର୍। ଏହା ପୂର୍ବରୁ କେନ୍ଦ୍ର ସରକାର ମହାଦେବ ବୁକ୍ ବେଟିଂ ଆପ୍‌କୁ ବ୍ୟାନ୍‌ କରି ଦେଇଛନ୍ତି।

Related Articles

Back to top button