ପିଏମଜିକେଏୱାଇ ଯୋଜନା ଅବଧି ବଢିଲା ୫ ବର୍ଷ

କେନ୍ଦ୍ର ସରକାର ଦେଶର ୮୧ କୋଟି ଗରିବ ପରିବାରକୁ ଖୁସି ଖବର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବା ପିଏମଜିକେଏୱାଇ ଯୋଜନା ଅବଧିକୁ ଆହୁରି ୫ ବର୍ଷ ବଢାଇ ଦେଇଛନ୍ତି । ଅର୍ଥାତ୍ ଆହୁରି ୫ ବର୍ଷ ଯାଏଁ କେନ୍ଦ୍ର ସରକାର ୮୧ କୋଟି ୩୧ ଲକ୍ଷ ଗରିବ ପରିବାରକୁ ମାଗଣାରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ୨୦୨୪ ଜାନୁୟାରୀରୁ ଆସନ୍ତା ୫ ବର୍ଷ ଯାଏଁ ପିଏମଜିକେଏୱାଇ ଯୋଜନାରେ ଗରିବ ମାଗଣା ରାସନ ସାମଗ୍ରୀ ବଣ୍ଟନ କରାଯିବ । ପ୍ରତି ମାସରେ ହିତାଧିକାରୀ ମାଗଣାରେ ୫ କିଲୋ ଖାଦ୍ୟ ସାମଗ୍ରୀ ପାଇବେ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ୩୧ ଡିସେମ୍ବର ୨୦୨୩ରେ ଶେଷ ହୋଇଥାନ୍ତା । ଏବେ କିନ୍ତୁ ୨୦୨୮ ଯାଏଁ ଏହି ଯୋଜନାର ଲାଭ ପାଇବେ ହିତାଧିକାରୀ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ ନିଷ୍ପତି ।

୨୦୨୦ ମସିହା କରୋନା କାଳରେ ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ମହାମାରୀ ସରିବା ପରେ ମଧ୍ୟ ସରକାର ଏହି ଯୋଜନାର ଅବଧି ବଢାଇଥିଲେ । ଆଉ ସେହି ସମୟରେ ୧୦ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ୭ଟି ରାଜ୍ୟରେ ବିଜେପିକୁ ନିର୍ବାଚନୀ ଲାଭ ମିଳିଥିଲା । ଏବେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି, ଯେଉଁଥିରେ ୪ଟି ରାଜ୍ୟରେ ମତଦାନ ସରିଥିବା ବେଳେ ନଭେମ୍ବର ୩୦ରେ ତେଲେଙ୍ଗାନାରେ ଭୋଟ ପଡିବ । ଅନ୍ୟପଟେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦୀଙ୍କ ନିର୍ବାଚନ ରଣନୀତି ବୋଲି ଚର୍ଚ୍ଚା ହେଉଛି ।

Related Articles

Back to top button