ରାଜ୍ୟ ସରକାରଙ୍କୁ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡରେ ୨୫ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ : ବାରମ୍ବାର ସୁଯୋଗ ପରେ ମଧ୍ୟ ୨୦୨୦ର ଏକ ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରୁ ନଥିବାରୁ ଆଜି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ ପାଇଁ ପୁଣି ଅଧିକ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ରାଜ୍ୟ ସରକାରଙ୍କୁ ହା‌ଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡରେ ୨୫ ହଜାର ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୪ ତାରିଖ ପୂର୍ବରୁ ଏହି ଟଙ୍କା ଜମା ସଂପର୍କିତ ପ୍ରମାଣପତ୍ର ସରକାରଙ୍କ ତରଫରୁ ଦାଖଲ କରାଯିବାକୁ ଥିବା ଜବାବ ସହିତ ସଂଲଗ୍ନ କରାଯିବ। ଏହାପରେ ସରକାରଙ୍କ ଜବାବ ରେଜିଷ୍ଟ୍ରି ଦ୍ବାରା ଗ୍ରହଣୀୟ ହେବ ବୋଲି ହାଇକୋର୍ଟ କହିଛନ୍ତି। ଯଦି ନିର୍ଦ୍ଧାରିତ ସମୟ ଭିତରେ ସତ୍ୟପାଠ ଦାଖଲ ନ ହୁଏ, ତେବେ ପରବର୍ତ୍ତୀ ଶୁଣାଣି ସମୟରେ ଭର୍ଚୁଆଲ ବ୍ୟବସ୍ଥାରେ ଝ‌ାରସୁଗୁଡ଼ା ଜିଲ୍ଲାପାଳ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୯କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଜ୍ୟୋତିମଞ୍ଜରୀ ପାଣ୍ଡେ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡ଼ା ତହସିଲ ଅନ୍ତର୍ଗତ ଗ୍ରାମ୍ୟ ରାସ୍ତାକୁ ଏକ ଘରୋଇ କମ୍ପାନିର ମାଲ ପରିବହନ ପାଇଁ ବ୍ୟବହାର ପ୍ରସଂଗକୁ ବିରୋଧ କରି ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ମାମଲାରେ ଜବାବ ଦାଖଲ ପାଇଁ ୨୦୨୨, ମେ ୧୨, ସେପ୍ଟେମ୍ବର ୭ ଓ ଡିସେମ୍ବର ୨୦ରେ ସରକାରଙ୍କୁ ସୁଯୋଗ ମିଳିଥିଲା। ଡିସେମ୍ବର ୨୦ରେ ଜବାବ ଦାଖଲ ପାଇଁ ଏହା ଶେଷ ସୁଯୋଗ ବୋଲି ହାଇକୋର୍ଟ ସ୍ପଷ୍ଟ କରିଥିଲେ। କିନ୍ତୁ, ଏହାସତ୍ତ୍ବେ ମାମଲାରେ ଏ ପର୍ଯ୍ୟନ୍ତ ଜବାବ ଦାଖଲ କରାଯାଇ ନଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟ ସରକାରଙ୍କ ଜବାବ ଆବଶ୍ୟକ। ଏଭଳି ସ୍ଥିତି ଯୋଗୁଁ ବାରମ୍ବାର ଜବାବ ଦାଖଲ ପାଇଁ ସରକାରଙ୍କୁ ସୁଯୋଗ ଦିଆଯାଇଥିଲା ବୋଲି ହାଇକୋର୍ଟ କହିଛନ୍ତି।

Related Articles

Back to top button