ଗଞ୍ଜାମକୁ ମିଳିଲା ‘ଜାତୀୟ ଜଳ ଉତ୍ସ ପୁରସ୍କାର-୨୦୨୨’: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୂର୍ବରୁ ଏକାଧିକ ଥର ଜାତୀୟ ପୁରସ୍କାର ହାସଲ କରିଥିବା ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ‘ଜାତୀୟ ଜଳ ଉତ୍ସ ପୁରସ୍କାର ୨୦୨୨’ ମିଳିଛି । ଜଳ ଉତ୍ସ ସଂରକ୍ଷଣ ଓ ପରିଚାଳନା ପାଇଁ ଗଞ୍ଜାମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଜଳଶକ୍ତି, ଜଳ ଉତ୍ସ, ନଦୀ ବିକାଶ ଓ ଗଙ୍ଗା ନବୀକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ତେବେ ଗଞ୍ଜାମକୁ ଜଳଉତ୍ସ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଥିବା ନେଇ ଜିଲ୍ଲାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ନଦୀ ନବୀକରଣ, ମୃତ୍ତିକା ସଂରକ୍ଷଣ, ଜଳସେଚନ ପରିଚାଳନା, ବୃକ୍ଷରୋପଣ, ଜଳ ଯୋଗାଣ, ବର୍ଜ୍ୟ ଜଳ ସଂରକ୍ଷଣ, ଚିକିତ୍ସା, ପରିବେଶ ସୁରକ୍ଷା ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ପଦକ୍ଷେପ ପାଇଁ ଗଞ୍ଜାମ ଜିଲ୍ଲାକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ଏ ବାବଦରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ତେବେ ନିଜ ନିର୍ବାଚନୀ ମଣ୍ଡଳୀ ଗଞ୍ଜାମ କ୍ରମାଗତ ଭାବେ ସଫଳତା ହାସଲ କରିବା ସହିତ ଏକାଧିକ ଜାତୀୟ ପୁରସ୍କାର ହାସଲ କରିବାରେ ଲାଗିଛି । ଗଞ୍ଜାମକୁ ଜଳ ଉତ୍ସ ପୁରସ୍କାର ମିଳିବା ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ମଧ୍ୟ ଟ୍ୱିଟ କରି ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ନିଜସ୍ୱ ପଦକ୍ଷେପ ସ୍ୱରୂପ ‘ଜଲ୍ ସମୃଦ୍ଧି ଅଭିଯାନ’, ‘ପିଲାଟିଏ ଗଛଟିଏ’, ‘ଜଲ୍ ସ୍ୱଚ୍ଛତା ଦିବସ’, ‘ସେଚ ସମୀକ୍ଷା’, ‘ଜନଶୁଣାଣି’ ଓ ‘ମୋ ନିବେଦନ’ ଭଳି ଏକାଧିକ ଅଭିନବ ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କର ପ୍ରଶଂସାଭାଜନ ହୋଇ ପାରିଛି । ଗଞ୍ଜାମକୁ ଏହି ପୁରସ୍କାର ମିଳିବା ଫଳରେ ଦେଶର ବିଭିନ୍ନ ଜିଲ୍ଲା ମଧ୍ୟ ଏହି ମହାନ କାର୍ଯ୍ୟକୁ ଅନୁସରଣ କରିବେ ।

Related Articles

Back to top button