ବ୍ରହ୍ମପୁରରେ ୮ ମାସ ମଧ୍ୟରେ ଟ୍ରାଫିକ ନ ମାନିବାରୁ ୪. ୪୧ କୋଟି ଜରିମାନା

ବ୍ରହ୍ମପୁର: ବ୍ରହ୍ମପୁର ସହରର ଟ୍ରାଫିକ ସମସ୍ୟା ଦୂର କରିବା, ଦୁର୍ଘଟଣା ରୋକିବା ସହ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ତା’ର ପ୍ରୟାସ ଜାରି ରଖିଛି। ପୋଲିସ ଏବେ ତିନି ଜଣିଆ ବାଇକ ଆରୋହୀ (ଟ୍ରିପଲ ରାଇଡିଂ), ଭୁଲ ରାସ୍ତାରେ ଗାଡ଼ି ଚଳାଇବା ସହ ବିନା ହେଲମେଟରେ ଗାଡି ଚଳାଉଥିବା ଅମାନିଆଙ୍କୁ ସାବାଡ଼ ପାଇଁ ଧରପଗଡ ଆରମ୍ଭ କରିଛି। ଗତ ୮ମାସ ମଧ୍ୟରେ ଟ୍ରାଫିକ ପୋଲିସ ୪୬୨୫୮ଜଣ ଅମାନିଆଙ୍କଠାରୁ ୪ କୋଟି ୪୧ ଲକ୍ଷ ୪୪ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ୧୬୩୨ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ତାହା ବାତିଲ ପାଇଁ ଆଞ୍ଚଳିକ ପରିବହନ ବିଭାଗକୁ ପଠାଇଛି।

ଦୁଇଚକିଆ ଯାନରେ ୩ଜଣ ବସି ଯାତାୟାତ, ବିନା ହେଲମେଟରେ ଗାଡି ଚଳାଇବା ଓ ଭୁଲ ରାସ୍ତାରେ ଗାଡ଼ି ଚଳାଇଲେ ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନା ରହିଥିବା ନେଇ ପୋଲିସ ଏଭଳି ଆରୋହୀଙ୍କୁ ସତର୍କ କରୁଛି। ଆଗାମୀ ଦିନରେ ପୋଲିସ ପକ୍ଷରୁ ସହରରେ ଏଭଳି ଭାବେ ଯାଞ୍ଚ କଡାକଡି କରାଯିବ ବୋଲି ଟ୍ରାଫିକ ଥାନାଧିକାରୀ ରାମ ସୁବ୍ରମନ୍ୟମ୍‌ ପ୍ରଧାନ ସୂଚନା ଦେଇଛନ୍ତି।

ସହରର ବ୍ଲାକସ୍ପଟ ଭାବେ ଚିହ୍ନଟ ହୋଇଥିବା ଲାଞ୍ଜିପଲ୍ଲୀ ବାଇପାସ୍‌, କମାପଲି, ଗେଟବଜ଼ାର ସମେତ ଚର୍ଚ୍ଚରୋଡ, ଅନ୍ନପୂର୍ଣ୍ଣା ମାର୍କେଟ, ଆସିକା ରୋଡ ଆଦି ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯିବା ସହ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ବୋଲି ଥାନାଧିକାରୀ ବେହେରା କହିଛନ୍ତି।

Related Articles

Back to top button