ଅମୁଲ ଗାର୍ଲର ନିର୍ମାତା ସିଲଭେଷ୍ଟର ଡାକୁନହାଙ୍କ ପରଲୋକ 

ମୁମ୍ବାଇ: ନୀରବି ଗଲେ ପ୍ରତିଷ୍ଠିତ ‘ଅମୁଲ ଗର୍ଲ’ ଅଭିଯାନର ନିର୍ମାତ ତଥା ବିଜ୍ଞାପନ ଉଦ୍ୟୋଗର ପରିଚିତ ଚେହେରା ସିଲଭେଷ୍ଟର ଡାକୁନହା। ୮୦ ବର୍ଷ ବୟସରେ ସିଲଭେଷ୍ଟର ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଅମୁଲ ଇଣ୍ଡିଆର ପରିଚାଳକ ନିର୍ଦ୍ଦେଶକ ଜୟେନ ମେହେଟ୍ଟା ଟୁଇଟ୍ କରି ତାଙ୍କ ପରଲୋକର ସୂଚନା ଦେଇଛନ୍ତି। ସେ କହିଛନ୍ତି, ସିଲଭେଷ୍ଟର ଡାକୁନହାଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ତାଙ୍କର ଦେହାନ୍ତ ଘଟିଛି।

ଜୟ ମେହଟ୍ଟା କହିଛନ୍ତି, ସିଲଭେଷ୍ଟର ଅମୁଲ ଗାର୍ଲର ନିର୍ମାତା ଥିଲେ। ଅମୁଲ ଗାର୍ଲକୁ ସେ ଘରେ ଘରେ ପରିଚିତ କରାଇଥିଲେ। ସିଲଭେଷ୍ଟର ଦିବଙ୍ଗତ ଗର୍ସନ ଡାକୁନହାଙ୍କ ଭାଇ ଥିଲେ। ତାଙ୍କ ମୃତ୍ୟୁରେ ପରିବାର ପ୍ରତି ମୋର ଗଭୀର ସମବେଦନା। ଅମୁଲର ମହାପ୍ରବନ୍ଧକ ପବନ ସିଂ କହିଛନ୍ତି ସିଲଭେଷ୍ଟରଙ୍କ ନିଧନ ଖବର ଶୁଣି ମୁଁ ବହୁତ ଦୁଃଖିତ। ପାଖାପାଖି ୩ ଦଶନ୍ଧି ପର୍ଯ୍ୟନ୍ତ ତାଙ୍କଠୁ ବ୍ରାଣ୍ଡ ସଞ୍ଚାର ଏବଂ ବିଜ୍ଞାପନର କଳା ଶିଖିବା ଅନୁଭୂତି ଚମତ୍କାର ରହିଛି।

ଅମୁଲ ବ୍ରାଣ୍ଡକୁ ଭାରତରେ ବଡ଼ ବ୍ରାଣ୍ଡ କରିବାରେ ଅମୁଲ ଗାର୍ଲର ବଡ଼ ଭୂମିକା ରହିଥିଲା। ଅମୁଲ ଗାର୍ଲର ପରିକଳ୍ପନା ୧୯୬୬ରେ ସିଲଭେଷ୍ଟର ହିଁ କରିଥିଲେ। ଅମୁଲ ଗାର୍ଲ ଅମୁଲର ବ୍ରାଣ୍ଡକୁ ଦେଶ ଦୁନିଆରେ ନୂତନ ପରିଚୟ ଦେଇଥିଲା। ଅମୁଲ ଗାର୍ଲ ମାଧ୍ୟମରେ ସାଂପ୍ରତିକ ପ୍ରସଙ୍ଗରେ ଅନେକ ଥର ବିଜ୍ଞାପନ ଜାରି କରାଯାଇଛି ଯାହା ବର୍ତ୍ତମାନ ବି ଜାରି ରହିଛି। ଏହାର ଖୁବ୍ ପ୍ରଶଂସା ହୋଇଥିବା ବେଳେ ଅନେକ ଥର ଅମୁଲ ବିବାଦ ଘେରରେ ମଧ୍ୟ ରହିଛି।

ସିଲଭେଷ୍ଟର ଡାକୁନହାଙ୍କ ପୁଅ ରାହୁଲ ଡାକୁନହା ବର୍ତ୍ତମାନ ନିଜ ପିତାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ବିଜ୍ଞାପନ କମ୍ପାନୀକୁ ସମ୍ଭାଳୁଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ ସିଲଭେଷ୍ଟର ଡାକୁନହାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତୃଣମୂଳ କଂଗ୍ରେସର ସାଂସଦ ଡେରେକ ଓ ବ୍ରାୟନ ସିଲଭେଷ୍ଟରଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି।

Related Articles

Back to top button