ନୂଆବର୍ଷ ପାଇଁ ରାତି ୧ଟାରୁ ହେବ ମହାପ୍ରଭୁଙ୍କ ଦର୍ଶନ ଓ ଅନ୍ୟାନ୍ୟ ନୀତିକାନ୍ତି

ନୂଆବର୍ଷରେ ଜଗା ଦର୍ଶନ ପାଇଁ ରାତି ୧ଟାରୁ ଖୋଲିବ ସିଂହଦ୍ୱାର । ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତିକାନ୍ତି ହେବ । ଭକ୍ତମାନେ କେବଳ ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ରହିଛି । ଭିଡକୁ ନଜରରେ ରଖି ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି । ସେହିପରି ଦିଗ ବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବରେ ଘୋଷଣା କରାଯାଇଛି ।ଅନ୍ୟପଟେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି । ଏହି ବ୍ୟାରିକେଡର ମଝିରେ ମଝିରେ ବସିବା ପାଇଁ ବ୍ୟବସ୍ଥା ରହିଛି, ପାଣି ବ୍ୟବସ୍ଥା ରହିଛି । ଏହି ବ୍ୟାରିକେଡ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଦେଇ ଯିବ । ସେଠି ଶୌଚାଳୟର ବି ବ୍ୟବସ୍ଥା ରହିଛି । ମରିଚିକୋଟ୍ ଛକରୁ ଆରମ୍ଭ କରି ବ୍ୟାରିକେଡ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦୋଳ ବେଦୀ ହେଇ ସିଧା ସିଂହଦ୍ୱାର ବାଟରେ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ ।

ସେପଟେ ଆଜି ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେବାକୁ ପୁରୀରେ ଜମିଛି ପ୍ରବଳ ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁ ଆଜି ବଢ଼ି ଭୋରରୁ ଧାଡିରେ ଠିଆ ହୋଇ ଦର୍ଶନ କରୁଛନ୍ତି । ସମୟ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Related Articles

Back to top button