ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଅଜିତ ପାୱାର

ନୂଆଦିଲ୍ଲୀ: ପୁଣି ଥରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ଧରଣର ହଲଚଲ । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ତଥାଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବରିଷ୍ଠ ନେତା ଅଜିତ ପାୱାର ଆଜି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏକନାଥ ଶିନ୍ଦେଙ୍କ ସରକାରରେ ଅଜିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ତାଙ୍କ ସପକ୍ଷରେ ୩୫ ଜଣ ବିଧାୟକ ରହିଥିବା ଅଜିତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

 

ରାଜନୀତିରେ କ୍ଷମତା ପାଇଁ ବହୁ ବଡ଼ ବଡ଼ ରାଜନେତା ନିଜର ପୁରୁଣା ସମ୍ପର୍କକୁ ଭୁଲି ଯାଇଥିବାର ଏକାଧିକ ଉଦାହରଣ ରହିଛି । ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ଅଜିତ ସମ୍ପର୍କରେ ଦାଦା-ପୁତୁରା । ଅଜିତଙ୍କ ଏହି ବିଦ୍ରୋକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶରଦ । ସେ ପୁଣି ଥରେ ଦଳକୁ ଛିଡ଼ା କରାଇବେ ବୋଲି ଶରଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ଏପରି କଲେ ଅଜିତ? ଏହା ପଛରେ କ’ଣ ସବୁ କାରଣ ରହିଛି?

 

ବିଧାନସଭାର ବିରୋଧୀ ଦଳ ନେତାରୁ ସିଧାସଳଖ ଡେପୁଟି ସିଏମ ଆସନରେ ବସିବା ପର୍ଯ୍ୟନ୍ତ ଘଟଣା ବହୁତ ଶୀଘ୍ର ଦେଖିବାକୁ ମିଳିଥିଲା । ପୂର୍ବରୁ ଅଜିତ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ହେଁ ସେ ଏନସିପିରେ ରହିବେ ବୋଲି ଅଜିତ ସ୍ପଷ୍ଟ କରିଦେଇଥିଲେ । ଦାଦାଙ୍କ ହାତ ଛାଡ଼ି ଅଜିତ ବିଜେପି-ଶିନ୍ଦେଙ୍କ ଗ୍ରୁପରେ ନିଜକୁ ସାମିଲ କରିଦେଇଛନ୍ତି । ଏଭଳି ସ୍ଥିତିରେ ମହାରାଷ୍ଟ୍ରରେ ‘ମହା ବିକାଶ ଅଘାଡ଼ି’ ଦୁର୍ବଳ ସ୍ଥିତିକୁ ଆସି ଯାଇଛି । ପୂର୍ବରୁ ଶିବସେନା ନେତା ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ବିଜେପି ମହାରାଷ୍ଟ୍ରରେ ଏକ ବଡ଼ ହଲଚଲ କରିଥିଲା ।

ଗତ କିଛିଦିନ ହେଲା ଅଜିତ ଏନସିପିରୁ ଦୂରେଇ ରହିଥିବା ଭଳି ଦେଖାଯାଉଥିଲା । ଦଳରେ ସୁପ୍ରିୟା ଶୁଲେଙ୍କ ସକ୍ରିୟତା ବଢ଼ିବା ସହିତ ଅଜିତ ସତେ ଯେମିତି ଏକୁଟିଆ ହୋଇଯାଇଥିଲେ । ବିଧାନସଭାରେ ସେ ବିରୋଧୀ ଦଳ ନେତା ରହିଥିଲେ ହେଁ ସଂଗଠନରେ ତାଙ୍କର ଦବଦବା ପ୍ରାୟତଃ ସମାପ୍ତ ହୋଇଯାଇଥିଲା । ଏନସିପି ପ୍ରତିଷ୍ଠା ଦିବସରେ ଶରଦ ନିଜ ଝିଅ ସୁପ୍ରିୟା ଓ ପ୍ରଫୁଲ୍ଲ ପଟେଲଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଆସନରେ ବସାଇଥିଲେ । ଏହାକୁ ନେଇ ଅଜିତଙ୍କ ମନରେ କୁହୁଳୁଥିବା ନିଆଁ ଅଚାନକ ଜଳିବାରେ ଲାଗିଥିଲା । ଶରଦଙ୍କ ପରେ ଅଜିତ ହିଁ ଏନସିପିର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ବୋଲି ଭାବିଥିଲେ, ମାତ୍ର ତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ମଧ୍ୟ ମିଳିନଥିଲା ।

 

ଝିଅକୁ ନିଜର ଉତ୍ତରାଧିକାରୀ କରିବାକୁ ଯାଇ ଶରଦ ପୁତୁରାକୁ ଅଣଦେଖା କରିଥିଲେ । ସଂଗଠରେ ଅଜିତଙ୍କର ଆଦୌ କ୍ଷମତା ରହିନଥିଲା । ଧୀରେଧୀରେ ଦଳରେ ସୁପ୍ରିଆଙ୍କର ସକ୍ରିୟତା ବଢ଼ିବାରେ ଲାଗିଥିଲା । ଅଜିତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ତାଙ୍କୁ ଦଳ ପକ୍ଷରୁ କୌଣସି ଆଶ୍ୱାସନା ମଧ୍ୟ ଦିଆଯାଇ ନଥିଲା, ତାହାକୁ ନେଇ ସେ ବହୁତ ଅସନ୍ତୁଷ୍ଟ ରହିଥିଲେ । ଅଜିତ ଓ ତାଙ୍କର ପତ୍ନୀ ସୁନେତ୍ରା ଇଡିର ଯାଞ୍ଚ ଘେରରେ ରହିଥିଲେ । ଏମଏସସି ବ୍ୟାଙ୍କ ଘୋଟାଲାରେ ଦମ୍ପତ୍ତି ଅଭିଯୁକ୍ତ ଥିଲେ । ମାତ୍ର ମାସକ ପୂର୍ବରୁ ଇଡି ପକ୍ଷରୁ ଦାୟର ଚାର୍ଜଶିଟରେ ଦୁହିଁଙ୍କର ନାମ ନଥିଲା । ତେଣୁ ଅଜିତ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିଭିନ୍ନ ଦିଗକୁ ବିଚାରକୁ କରି ଶେଷରେ ଅଜିତ ଦାଦାଙ୍କ ସହ ସମ୍ପର୍କ ତୁଲାଇ ପଦ୍ମ ହାତ ଧରିବାକୁ ମନସ୍ଥ କରିଥିଲେ ।

Related Articles

Back to top button