ଆଜି ବିଶ୍ୱ ଛେନାପୋଡ଼ ଦିବସ

ନୟାଗଡ଼: ଆଜି ଏପ୍ରିଲ ୧୧ ତାରିଖକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି। ଛେନାପୋଡ଼କୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏଭଳିସ୍ଥଳେ ଏପ୍ରିଲ ୧୧ ପୂର୍ବାହ୍ନ ୧୧ଟାରେ ଜିଲାର ସବୁ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ କାଟି ଉତ୍ସବ ପାଳନ କରିବାକୁୁ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହାର ଫଟୋ ଉତ୍ତୋଳନ କରି ଟିମ୍‌ ନୟାଗଡ଼ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ପୋଷ୍ଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଛେନାପୋଡ଼ ପ୍ରସ୍ତୁତକର୍ତ୍ତା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଏପ୍ରିଲ ୧୧ରେ ଏହି ଉତ୍ସବ ପାଳନ କରାଯିବ। ଏନେଇ ଜିଲାପାଳଙ୍କ ଅଫିସ ପକ୍ଷରୁ ଏସ୍‌ପି, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ଜିଲାସ୍ତରୀୟ ଲାଇନ୍‌ ବିଭାଗର ଅଧିକାରୀ, ତହସିଲଦାର ଓ ବିଡିଓ, ଏନ୍‌ଏସି ଓ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ, ସିଡିପିଓ, ଡିଏଫ୍‌ଓ, ଜିଲା ଶିକ୍ଷା ବିଭାଗ ପରି ବିଭାଗୀୟ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳନ କରିବାକୁ ଚଠି ହୋଇଛି।

ଏନେଇ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, ଛେନାପୋଡ଼ ହେଉଛି ନୟାଗଡ଼ର ଅନ୍ୟତମ ପରିଚୟ। ଛେନାପୋଡ଼କୁ ଜିଆଇ ମାନ୍ୟତା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଆଇ ଟ୍ୟାଗ୍‌ର ଚେନ୍ନାଇ ଅଫିସକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷେ ଏପ୍ରିଲ ୧୧କୁ ସରକାରୀ ଭାବେ ବିଶ୍ୱସ୍ତରୀୟ ଛେନାପୋଡ଼ ଦିବସ ଭାବେ ପାଳନ କରାଯିବାକୁ ଜିଲାର ସବୁ ସରକାରୀ କାର୍ଯ୍ୟାଳୟକୁ ଚିଠି କରାଯାଇଛି ବୋଲି କହିଛନ୍ତି।

Related Articles

Back to top button