ଆଗାମୀ ୨୪ ଘଣ୍ଟା ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା

ରାଜ୍ୟରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟା ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଲାଗି ରହିବ। ଆଗାମୀ ୨୪ ଘଣ୍ଟାରେ କେନ୍ଦୁଝର, ମୟୂରଭଂଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ୧୩ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଥିବା କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ୧୯ରେ ଲଘୁଚାପର ରୂପ ନେବ । ଯାହା ୨୧ ରେ ଅବପାତରେ ପରିଣତ ହେବ । ତେଣୁ ୧୯ ରୁ ପୁଣି ବର୍ଷା ବଢ଼ିପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଆଗକୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ସବୁ ଜିଲ୍ଲାପାଳ ଓ ପୌର କମିଷନରଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଜଳ ନିଷ୍କାସନ ପାଇଁ ନାଳ ନର୍ଦ୍ଦମା ସଫା କରିବା ସହ ଦୁର୍ବଳ ନଦୀବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଏସଆରସି ।

Related Articles

Back to top button