ଆଗାମୀ ୫ ବର୍ଷ ପାଇଁ ଚାଷୀଙ୍କ ସୁଧ ଛାଡ଼

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକରେ ମିଶନ ଶକ୍ତି ସ୍କୁଟର ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିସହିତ କୃଷି, ଶକ୍ତି, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଦକ୍ଷତା ବିକାଶ, ଜଳସମ୍ପଦ, ସ୍ୱାସ୍ଥ୍ୟ ଓ ଗଣଶିକ୍ଷା ବିଭାଗର ବହୁ ପ୍ରସ୍ତାବକୁ ବୈଠକରେ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି ।

ବୈଠକରେ ବନ ସୁରକ୍ଷା ସମିତି କୋଠା ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସହିତ ବକେୟା ଜଳକର ଆଦାୟ ପାଇଁ ଓଟିଏସ୍ ବ୍ୟବସ୍ଥା କରାଯାଇଛି । କର୍କଟ ରୋଗୀଙ୍କ ପାଇଁ ରାଜ୍ୟ ସରକାର ‘ଓଡ଼ିଶା କମ୍ପ୍ରିହେନସିଭ କ୍ୟାନସର ପ୍ଲାନ’କୁ ମଞ୍ଜୁରୀ ମିଳିଛି । ସମବାୟ ବ୍ୟାଙ୍କ ଓ ପ୍ରାଥମିକ ସମବାୟ ସମିତିରୁ ୫ ପ୍ରତିଶତ ସୁଧରେ ଋଣ ନେଇଥିବା ଚାଷୀଙ୍କ ସୁଧ ଛାଡ଼ କରାଯିବ । ଚଳିତ ଆର୍ଥିକ ବର୍ଷରୁ ୫ ବର୍ଷ ପାଇଁ ଏହି ସୁଧ ଛାଡ଼ ବ୍ୟବସ୍ଥା ଲାଗୁ ହେବ ।

କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ୧୦୦୧.୧୪ କୋଟି ଟଙ୍କାର ବଜେଟକୁ କ୍ୟାବିନେଟ ଅନୁମୋଦନ ମିଳିଛି । ୨ ବର୍ଷ ମଧ୍ୟରେ ୧୧ଟି ସାମୁହିକ କର୍କଟ ଚିକିତ୍ସା ୟୁନିଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ନିର୍ମାଣ କରାଯିବ । ଏହା କର୍କଟ ରୋଗରେ ପୀଡ଼ିତ ଲୋକ ଓ ସେମାନଙ୍କର ପରିବାର ସଦସ୍ୟଙ୍କ ନିଜସ୍ୱ ଖର୍ଚ୍ଚ ହ୍ରାସ କରିବ । ରାଜ୍ୟରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଚିପ୍ ନିର୍ମାଣ ପାଇଁ ନୂଆ ନୀତି ଆସିଛି । ଯେଉଁମାନେ କମ୍ପାନୀର ଶିଳ୍ପ ପ୍ରତିଷ୍ଠା କରିବେ ସେମାନଙ୍କୁ ନୂଆ ନୀତି ଆଧାରରେ ପ୍ରୋତ୍ସାହନ ଦିଆଯିବ ।

ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନର ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନାକୁ ଅନୁମୋଦନ ମିଳିଛି । କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଇସି ସଦସ୍ୟାଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଚଳିତ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।

Related Articles

Back to top button