ଭୟାବହ ଅଗ୍ନିକାଣ୍ଡ : ୬୩ ମୃତ

ବୁଧବାର ରାତି ପ୍ରାୟ ୧.୩୦ରେ ଦକ୍ଷିଣ ଆଫ୍ରିକାର ଜୋହାନେସ୍‌ବର୍ଗସ୍ଥିତ ଏକ ବହୁ-ତଳ ଆବାସିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୬୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଓ ଆଉ ୪୦ଜଣ ଆହତ ହୋଇଥିବା କଥା ମୁନିସ୍‌ପାଲ୍ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।

‘ଇମର୍ଜେନ୍‌ସି ମ୍ୟାନେଜ୍‌ମେଣ୍ଟ୍‌ ସର୍ଭିସେସ୍‌’ କହିଛି, ନିଆଁ ଲିଭାଇ ଦିଆଯିବା ପରେ ତଲାସ ଓ ଉଦ୍ଧାର ଅଭିଯାନ ଚାଲିଛି। ତେଣୁ, ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ଅଛି।

ସରକାରୀ ଅଧିକାରୀମାନେ ମଧ୍ୟ କହିଛନ୍ତି ଯେ, ଏହି ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୪୩ଜଣ ବ୍ୟକ୍ତି ଆହତ ହୋଇଛନ୍ତି।

ଜୋହାନେସ୍‌ବର୍ଗ ଇମର୍ଜେନ୍‌ସି ସର୍ଭିସ୍‌ର ଅଧିକାରୀ ରବର୍ଟ ମୁଲାଉଜି କହିଛନ୍ତି ଯେ, କୋଠାଟି ଥିଲା ‘ଅନୌପଚାରିକ ଆଶ୍ରୟସ୍ଥଳ’। କ‌ୌଣସି ଔପଚାରିକ ‘ଲିଜ୍‌’ ଚୁକ୍ତିନାମା ନ ଥିବା ଲୋକେ ଆସି ସେଠାରେ ବାସ କରୁଥିଲେ। ତେଣୁ, ସେଠାରେ ତଲାସ କାର୍ଯ୍ୟ କରିବା କଷ୍ଟକର ହୋଇପଡ଼ିଛି।

ଗତରାତିରେ ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ହଠାତ୍‌ ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି। ଧୂଆଁ ଆଘ୍ରାଣ କରି ଅସୁସ୍ଥ ହୋଇପଡ଼ିଥିବା କିଛି ଲୋକଙ୍କୁ ମଧ୍ୟ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନେଇ ଚିକିତ୍ସା କରାଯାଉଛି।

ମୁଲାଉଜି ‘ଏକ୍ସ’ରେ ପୋଷ୍ଟ୍‌ କରିଥିବା ଭିଡିଓରେ ଦେଖାଯାଉଛି ଝରକା ପୋଡ଼ିଯାଇଥିବା ଉକ୍ତ କୋଠାଘର ବାହାରେ ଦମକଳ ଓ ଆମ୍ବୁଲାନ୍‌ସ୍‌ ସବୁ ଠିଆହୋଇଛନ୍ତି। ଉଦ୍ଧାର କରାଯାଇଥିବା ଶବ ମଧ୍ୟରେ ଅଛି ଜଣେ ଶିଶୁର ଶବ।

Related Articles

Back to top button